୫ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା
୫ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବ ରାଜ୍ୟ ଉପରେ ସିଧାସଳଖ ରହିବ ନାହିଁ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ଏହା ପ୍ରଭାବରେ ଓଡ଼ିଶାରେ ତାପମାତ୍ରା ବୃଦ୍ଧିପାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁକୁ ମୁହାଁଇବ। ତେବେ ଓଡ଼ିଶାରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ। ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତରୀଣରେ ଆସନ୍ତା ୪ରୁ ୬ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିବା ହେତୁ ଶୀତ ବଢ଼ିବ। ୭ରୁ ୯ତାରିଖ ମଧ୍ୟରେ ପୁଣି ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବ। ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣରେ ୪ରୁ ୬ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବା ହେତୁ ଶୀତ ବଢ଼ିବ। ୯ରେ ମେଘୁଆ ଓ କୁହୂୁଡ଼ି ହୋଇପାରେ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨ରେ ମେଘୁଆ ଓ ୫-୭ ମଧ୍ୟରେ କୁହୁଡ଼ି ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।