ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୪ ଓ ୧୫ ତାରିଖରେ ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ ।ଗତ ତିନି ବର୍ଷ ଧରି ଏହି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଆସୁଛି । ଧର୍ମଶାଳାରେ ଜୁନ ୨୦୨୨ରେ ପ୍ରଥମକରି ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ପରେ ଜାନୁୟାରୀ ୨୦୨୩ ଓ ଡିସେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଏହା ଅନୁଷ୍ଠିତ ହୋଇଥିଲା ।୧୩ ଡିସେମ୍ବରରୁ ୧୫ ଡିସେମ୍ବର ଯାଏ ଆୟୋଜିତ ହେଉଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକକ ବିକାଶ ଏଜେଣ୍ଡା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କୁହାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମତପ୍ରକାଶ ପାଇଛି ।
କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ନିତି ଆୟୋଗ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଓ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଏହି ଚତୁର୍ଥ ଜାତୀୟ ସମ୍ମିଳନୀ ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବ । ଏହି କାର୍ଯ୍ୟକ୍ରମ ଅଧୀନରେ ଛଅଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ଏଗୁଡିକ ହେଲା ମାନୁଫାକଚରିଂ, ନିଯୁକ୍ତି, ଗ୍ରାମାଂଚଳ ଅଣଫାର୍ମ, ସହରାଂଚଳ, ନବୀକରଣଯୋଗ୍ୟ ଊର୍ଜା ଓ ଚଳନକ୍ଷମ ଅର୍ଥନୀତି । ଏହାଛଡା ଚାରିଟି ପ୍ରସଙ୍ଗ ଉପରେ ବି ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କୁହାଯାଇଛି । ଏଗୁଡିକ ହେଲା ବିକଶିତ ଭାରତ ଲାଗି ଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର, ମିଶନ କର୍ମଯୋଗୀ ମାଧ୍ୟମରେ ଦକ୍ଷତା ବୃଦ୍ଧି । କୃଷିରେ ଆତ୍ମନିର୍ଭରଶୀଳତା, ବୟସ୍କଙ୍କ ଲାଗି ସହାୟକ ଅର୍ଥନୀତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଓ ଭାରତୀୟ ଜ୍ଞାନ ପରମ୍ପରା ପରି ପ୍ରସଙ୍ଗ ଉପରେ ଅଧିବେଶନ ମଧ୍ୟ ବସିବ ।ଏସବୁ ପ୍ରସଙ୍ଗ ଉପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସର୍ବୋତ୍ତମ ପରିପ୍ରକାଶକୁ ଉପସ୍ଥାପିତ କରାଯିବ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବରିଷ୍ଠ ପଦାଧିକାରୀ ଓ ଏକାଧିକ ବିଶେଷଜ୍ଞ ଉପସ୍ଥିତ ରହିବେ ।