ପୁରୀରେ ବଢୁଛି ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀରେ ଏବେ ସ୍କ୍ରବ ଟାଇଫସ୍‌ ଦେଖା ଦେଇଛି । ପୁରୀ ସହରର ବିଭିନ୍ନ ବେସରକାରୀ ଡାକ୍ତରଖାନାରେ ୪ରୁ ଅଧିକ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣ ଅଧିକ ହେଲେ ପ୍ରାଣଘାତୀ ହୋଇପାରେ । ଏଥିରେ ସାମାନ୍ୟ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତି ଘରେ ଚିକିତ୍ସିତ ହୋଇ ଭଲ ହୋଇପାରନ୍ତି । ୨୦୨୩ ମସିହାରେ ବରଗଡ ଏବଂ ସମ୍ବଲପୁରରେ ସ୍କ୍ରବ ଟାଇଫସ୍‌ ସଂକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ଶହେରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋନପୁର,କଳାହାଣ୍ଡି, ବଲାଙ୍ଗୀର ଏବଂ ସମ୍ବଲପୁରରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ୨୦୨୩ ମସିହାରେ ବରଗଡରେ ୮ ଜଣ ସ୍କ୍ରବ ଟାଇଫସ୍‌ ସଂକ୍ରମଣରେ ପ୍ରାଣ ହରାଇଥିଲେ । ଏହା ଏକ ବ୍ୟାକ୍ଟେରିଆ ବା ଜୀବାଣୁ ଜନିତ ସଂକ୍ରମଣ । ଏହା ହେଲେ ଥଣ୍ଡା ହେବାପରି ଲକ୍ଷଣ ଦେଖା ଦେଇଥାଏ । ଅଧିକ ସଂକ୍ରମଣ ହେଲେ ପ୍ରବଳ ମୁଣ୍ଡ ବିନ୍ଧା ସହ ଅନ୍ୟ ଲକ୍ଷଣ ଦେଖା ଯାଏ । ଚର୍ମରେ ନାଲି ଦାଗ ଦେଖା ଦେଇ ପାରେ । ଏହାକୁ acute febrile illnesses ବା ଭୀଷଣ ଜ୍ୱର ପରି ଲକ୍ଷଣ ଦେଖା ଦିଏ ।

ଗର୍ଭବତୀ ସ୍ତ୍ରୀ ଲୋକ , ଛୋଟ ପିଲା ତଥା ମଧୁମେହ ଏବଂ ଅନ୍ୟ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂକ୍ରମଣ ଘାତକ ହୋଇପାରେ । ସାଧାରଣତଃ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଔଷଧ ଖାଇ ଲୋକ ଭଲ ହୋଇଥାଆନ୍ତି । ମାତ୍ର ସଂକ୍ରମଣ ବୃଦ୍ଧି ପାଇଲେ ତୁରନ୍ତ ଡାକ୍ତରଖାନାରେ ସଂକ୍ରମିତଙ୍କୁ ଭର୍ତ୍ତି କରିବା ଆବଶ୍ୟକ । ଡେରି କଲେ ଏହା ଜୀବନ ଯାଇପାରେ । ଚାଷଜମିରେ କାମରୁଥିବା ଲୋକ ବିଭିନ୍ନ ବାଡି ବଗିଚାରେ ଏହଂ ନେଚର କ୍ୟାପିଂ କରୁଥିବା ଲୋକଙ୍କୁ ଏହା ଦେଖା ଦିଏ । ପୁରୀରେ ସଂକ୍ରମିତମାନେ ଫୁଲ ତୋଳିବା ବେଳେ ଘାସ ଏବଂ ଛୋଟ ଗଛ ଭିତରେ ପୁଶୁଥିବା ବେଳେ ଏହି ସ୍କ୍ରବ ଟାଇଫସ୍‌ କୀଟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ କିଛି ସଂକ୍ରମିତ ଭଲ ହୋଇ ଘରକୁ ଫେରିଛନ୍ତି । ଏବେ ଘରୋଇ ଡାକ୍ତରଖାନାରେ ୪ ଜଣ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ୨ ଜଣ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଭଲ ହୋଇ ଫେରିଥିବା ବେଳେ ଏବେ ସରକାରୀ ଡାକ୍ତରଖାନାରେ କେହି ସଂକ୍ରମିତ ନଥିବା ଏଡିଏମ୍‌ଓ ଡାକ୍ତର ବୀରଜା ଶଙ୍କର ରଥ ପ୍ରକାଶ କରିଛନ୍ତି । ତବେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।ଥଣ୍ଡାର ଲକ୍ଷଣ ଭଲ ନହେଲେ ମୁଣ୍ଡ ପ୍ରବଳ ବିନ୍ଧିବା ସହ ଦେହରେ ନାଲି ଚିହ୍ନ ଦେଖା ଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ରକ୍ତ ପରୀକ୍ଷା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ସ୍କ୍ରବ ଟାଇଫସ୍‌ ସଂକ୍ରମଣ ବୃଦ୍ଧି ପାଇଥିବା କଥା କୁହାଯାଇଛି । ବୁଦା ଏବଂ ଜଙ୍ଗଲିଆ ଅଞ୍ଚଳକୁ ଯିବା ବେଳେ ଫୁଲ୍‌ ପ୍ୟାଣ୍ଟ ସାର୍ଟ ସହ ଜୋତା ପିନ୍ଧି ଯିବା ପାଇଁ ବିଶେଷଜ୍ଞମାନେ କହିଛନ୍ତି । ଚାଷ ଜମିରେ କୀଟଙ୍କ ପାଇଁ ଔଷଧ ପକାଇଲେ ସ୍କ୍ରବ ଟାଇଫସ୍‌ ବଂଶବୃଦ୍ଧି କରିପାରନ୍ତି ନାହିଁ । ଏହି ସଂକ୍ରମଣ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟିକା ବାହାରି ନାହିଁ । କେବେଳ ଆଣ୍ଟିବାୟୋଟିକ୍‌ରେ ଏହାର ଚିକିତ୍ସା କରାଯାଏ । ପ୍ରଥମରୁ ଚିକିତ୍ସା ଆରମ୍ଭ କଲେ ଭଲ ହେବାର ସମ୍ଭାବନା ବହୁତ ଅଧିକ।

Related Articles

Back to top button