ବିଗିଡିଲା ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା
ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଥରେ ବିଗିଡ଼ିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାରଲିପ୍ଟ କରାଯାଇଛି । ବିଶ୍ୱଭୂଷଣ ପୁଣି ଥରେ ଅସୁସ୍ଥ ହେବାରୁ ତାଙ୍କୁ ମଙ୍ଗଳବାର ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି କରାଯାଉଛି ବୋଲି କହିଥିଲେ ତାଙ୍କ ପୁଅ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବିଶ୍ୱଭୂଷଣ ହରିଚନ୍ଦର ଓଡ଼ିଶାର ବିଜେପିର ଜଣେ ପୁରୁଖା ଏବଂ ବରିଷ୍ଠ ନେତା । ୧୯୮୦ରେ ସେ ବିଜେପିର ରାଜ୍ୟ ସଭାପତି ହୋଇଥିଲେ । ଏହା ସହିତ ସେ ପାଞ୍ଚ ପାଞ୍ଚ ଥର ବିଧାୟକ ରହିଛନ୍ତି । ଚିଲିକା ଏବଂ ମଧ୍ୟ ଭୁବନେଶ୍ୱର ଆସନରୁ ବିଧାୟକ ହୋଇଛନ୍ତି । ଏହା ସହିତ ସେ ଆଇନ, ରାଜସ୍ୱ, ମତ୍ସ୍ୟ ସମ୍ପଦ ବିଭାଗର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ରହିଛନ୍ତି । ୨୦୧୯ ଜୁଲାଇ ୨୪ରୁ ୨୦୨୩ ଫେବୃୟାରୀ ୨୨ ଯାଏଁ ଆନ୍ଧ୍ର ପ୍ରଦେଶ ଏବଂ ୨୦୨୩ ଫେବୃଆରୀ ୨୩ ରୁ ୨୦୨୪ ଜୁଲାଇ ୨୯ ତାରିଖ ଯାଏଁ ଛତିଶଗଡ଼ର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ଶ୍ରୀ ହରିଚନ୍ଦନ ।