ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା AAP ର ୮ଜଣ ବିଧାୟକ ବିଜେପିରେ ହେଲେ ସାମିଲ
ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଆମ୍ ଆଦମୀ ପାର୍ଟିର ୮ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆପ୍ ବିଧାୟକ ଗରିଶ ସୋନି, ରୋହିତ ମେହ୍ରାରାଉଲିଆ, ମଦନ ଲାଲ, ରାଜେଶ ରିସି, ନରେଶ ଯାଦବ, ଭବନ ଗୌର, ପବନ କୁମାର ଶର୍ମା ଏବଂ ବିଏସ୍ ଜୁନ ଆଜି ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭ୍ୟପଦ ଗ୍ରହଣ କରିଛନ୍ତି ।ଚଳିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତରଫରୁ ଏହି ୮ ବିଧାୟକଙ୍କ ଟିକେଟ କଟାଯାଇଥିଲା । ଏହାକୁ ନେଇ ସେମାନେ ଅସନ୍ତୋଷ ଥିବା ଜଣାପଡିଥିଲା । ହେଲେ ସେମାନେ ଦଳ ଛାଡିବା ନେଇ ଟିକେଟ ନମିଳିବାକୁ କାରଣ ଦର୍ଶାଇ ନାହିାଁନ୍ତି । ସେମାନେ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା ଆଜି ଦଳ ଭିତରେ ମାତ୍ର କିଛି ନେତାଙ୍କ ଭିତରେ ସେହି ଆଦର୍ଶ ବଞ୍ଚି ରହିଛି । ଅଧିକାଂଶ ନେତା ଦୁର୍ନୀତିରେ ବୁଡି ରହିଛନ୍ତି । ଏହାସହ ଦଳରେ କେବଳ କେଜ୍ରିୱାଲଙ୍କ କଥା ଚାଲୁଛି, ବାକି ସବୁ କେବଳ ଦେଖଣାହାରୀ ହୋଇଛନ୍ତି ।ସେପଟେ ଭୋଟିଂକୁ ଆଉମାତ୍ର ୪ ଦିନ ବାକି ରହିଥିବାରୁ ଏକାଥରରେ ୮ ବିଧାୟକ ଦଳ ଛାଡିବା ଦଳ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ଆକଳନ କରିଛନ୍ତି ।