ନାଁ ନନେଇ ସଂସଦରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ମୋଦୀ
ସଂସଦରେ ବଜେଟ୍ ଅଧିବେଶନ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବରେ ଗୃହକୁ ସମ୍ବୋଧନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୁଁ ବହୁତ ଭାଗ୍ୟବାନ୍ ଯେ ଦେଶର ଲୋକମାନେ ମୋତେ ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିବାର ସୁଯୋଗ ଦେଇଛନ୍ତି। ତେଣୁ ମୁଁ ସମ୍ମାନର ସହ ଲୋକମାନଙ୍କୁ କୃତଜ୍ଞତା ଜଣାଉଛି।’’ ପ୍ରଧାନମନ୍ତ୍ରୀ ହଟ୍ଟଗୋଳ ମଧ୍ୟରେ ନିଜ ସମ୍ବୋଧନ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁମାନେ ଗରିବଙ୍କ କୁଡ଼ିଆରେ ଫଟୋ ସେସନ୍ କରି ଚର୍ଚ୍ଚା ସାଉଁଟନ୍ତି, ସେମାନଙ୍କୁ ସଂସଦରେ ଗରିବଙ୍କ ବିଷୟରେ କଥାବାର୍ତ୍ତା ବିରକ୍ତିକର ହିଁ ଲାଗିବ।ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ୟାକୁ ଚିହ୍ନଟ କରି ଅଣଦେଖା କରିପାରିବୁ ନାହିଁ, ସମସ୍ୟାର ସମାଧାନ ମଧ୍ୟ କରିବାକୁ ପଡ଼ିବ। ଆମର ପ୍ରୟାସ ହେଉଛି ସମସ୍ୟାର ସମାଧାନ କରିବା ଏବଂ ଆମେ ଉତ୍ସର୍ଗୀକୃତ ଭାବରେ ପ୍ରୟାସ କରୁ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ଲୋକଙ୍କ ଧ୍ୟାନ ବିଳାସପୂର୍ଣ୍ଣ ଘରେ ବାଥ୍ଟବ୍ ଓ ଶାଓ୍ବର ଉପରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ନେତାଙ୍କ ଧ୍ୟାନ ସେମାନଙ୍କ ଘରର ଷ୍ଟାଇଲିସ୍ ବାଥରୁମ ଉପରେ ରହିଛି। ଆମ ଧ୍ୟାନ ତ ପ୍ରତ୍ୟେକ ଘରକୁ ଟ୍ୟାପ୍ ଯୋଗେ ପାଣି ପହଞ୍ଚାଇବା ଉପରେ ରହିଛି। ୧୨ କୋଟି ଲୋକଙ୍କୁ ଟ୍ୟାପ୍ ଯୋଗେ ପାଣି ଯୋଗାଇ ଦିଆଯାଇଛି, ଆମର ଫୋକସ୍ ଗରିବଙ୍କ ଘର ତିଆରି କରିବା ଉପରେ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ, ଏହାକୁ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କୁ ତାଗିଦ୍ କରିଥିଲେ।