
ପୁରୀରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ପୁରୀରେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ସ୍ୱାସ୍ଥ୍ୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ସାଂସଦ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁସ୍ଥ ଭାରତ ବନେଇବାରେ ଯେଉଁ ଅଭିଯାନ ଚାଲିଛି ଓଡ଼ିଶା ଏଥିରେ ଏକ ଗୁରୁତ୍ୱ ଭୂମିକା ଗ୍ରହଣ କରିବ । ଆମର ଲକ୍ଷ୍ୟ ଅଛି ‘ସୁସ୍ଥ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା’ । ଏଥିରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଲଭ ସେବା ଯୋଗାଇ ଦିଆଯିବ । ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି । ମାତ୍ର ଏହା ଆମ ସନ୍ତୋଷଜନକ ନୁହେଁ ।
ଦେଶରେ ଯେଉଁ ରାଜ୍ୟମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ତାଙ୍କ ସ୍ତରକୁ ଓଡ଼ିଶାକୁ ଆଣିବାକୁ ଚେଷ୍ଟା କରିବୁ । ଆମ ନୂଆ ସରକାର ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ନେଇ କାମ କରିବା ଆରମ୍ଭ କରିଦେଇଛି । ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ଆମ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ଏହା ଏକ ଐତିହାସିକ ପଦକ୍ଷେପ ଅଟେ । ପୂର୍ବରୁ ଓଡ଼ିଶାର ଲୋକମାନେ ସାରା ଦେଶର ମାତ୍ର ୯୦୦ଟି ଘରୋଇ ମେଡ଼ିକାଲରେ ସ୍ୱାସ୍ଥ୍ୟ ସୁବିଧା ପାଉଥିବାବେଳେ ବର୍ତ୍ତମାନ ୨୯ ହଜାର ମେଡ଼ିକାଲରେ ଚିକିତ୍ସା ସୁବିଧା ପାଇ ପାରିବେ । ଏହା ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ପାଇଁ ଲାଭ ଦାୟକ ହେବ । ଯେତେବେଳେ ରାଜ୍ୟର ସ୍ୱାସ୍ଥ୍ୟ ସେବା ଦେଶର ସ୍ୱାସ୍ଥ୍ୟ ସେବାରେ ସମିଶ୍ରଣ ହେବ ତେବେ ଆମ ଦେଶର ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ହେବ ।