
ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍
ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ । ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ ।
ରାଜଧାନୀର ରାଜରାସ୍ତାରେ ଯିବା ଆସିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସହର ମୁଖ୍ୟ ରାସ୍ତାକୁ ଭିଡ଼ ହ୍ରାସ ଯୋଜନା (ଡିକଞ୍ଜେସନ୍ ପ୍ଲାନ୍) ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ସଡ଼କ ନେଟୱାର୍କକୁ ବ୍ୟାପକ କରିବା ପାଇଁ ରାଜଧାନୀ ରାସ୍ତାର ଉନ୍ନତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର୍ ନିର୍ମାଣ କରାଯିବ । ଏହା ସହିତ ବାରଙ୍ଗରୁ ପଟିଆ ଷ୍ଟେସନ୍ ଛକ ତଥା ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା(ଦୟା ୱେଷ୍ଟ କେନାଲ୍) ର ଉନ୍ନତୀକରଣ କରାଯିବ ।