
ଆସନ୍ତାକାଲି ସଂସଦରେ ଆଗତ ହେବ ବହୁ ପ୍ରତିକ୍ଷୀତ ୱାକଫ୍ ବିଲ୍
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ସଂସଦରେ ଆଗତ ହେବ ବହୁ ପ୍ରତିକ୍ଷୀତ ୱାକଫ୍ ବିଲ୍ । ଲୋକସଭାରେ କେନ୍ଦ୍ର ସରକାର ୱାକଫ୍ ସଂଶୋଧିତ ବିଧେୟକ ଆଗତ କରିବେ । ଏହା ଉପରେ ଦୀର୍ଘ ୮ ଘଣ୍ଟା ଆଲୋଚନା କରିବାକୁ ସରକାର ସମୟ ଦେଇଛନ୍ତି । ବୁଧବାର ମଧ୍ୟାହ୍ନ ୧୨ଟାରେ ଲୋକସଭାରେ ୱାକଫ୍ ସଂଶୋଧିତ ବିଧେୟକ ଆଗତ କରିବେ କେନ୍ଦ୍ର ସରକାର । ଏହାକୁ ନେଇ ଜୋରଦାର ହଙ୍ଗାମା କରିପାରନ୍ତି ବିପକ୍ଷୀ ଦଳ । ତେବେ ବିରୋଧୀ ଦଳ ବିଧେୟକ ଉପରେ ଆଲୋଚନା ପାଇଁ ବିଜେନେସ୍ ଆଡଭାଇଜରୀ କମିଟିକୁ ୧୨ ଘଣ୍ଟା ସମୟ ମାଗିଥିବାବେଳେ ସରକାର 8 ଘଣ୍ଟା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରି ଗୃହ ପରିତ୍ୟାଗ କରିଥିଲେ ।
ଅନ୍ୟପକ୍ଷରେ ଆସନ୍ତାକାଲି ସମସ୍ତ ଏନଡିଏ ସମର୍ଥିତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି । ତେବେ ସମସ୍ତ ସଦସ୍ୟଙ୍କୁ ବିଲ୍ ଉପରେ ଚର୍ଚ୍ଚା କରିବାକୁ ସୁଯୋଗ ଦିଆଯିବ, ସେମାନେ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ଆଲୋଚନା କରିବେ କିନ୍ତୁ ସମୟ ଅପଚୟ ନ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି କହିଛନ୍ତି ।