
ମସ୍କଙ୍କ ସହ କଥା ହେଲେ ପିଏମ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଟେସଲା ତଥା ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟଙ୍କ ମଧ୍ୟରେ ଆଲୋଚନା ସେହି ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା, ଯାହା ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ମସ୍କଙ୍କ ସହ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛୁ । ଏଥିରେ ବୈଷେୟିକ ଜ୍ଞାନ କୌଶଳ ଓ ନବୀକରଣ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ବିଚାର ବିମର୍ଶ କରାଯାଇଛି । ଭାରତ ଏହି ଦିଗରେ ଆମେରିକା ସହିତ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧ । ଏହି ଆଲୋଚନା ଏମିତି ସମୟରେ ହୋଇଛି ଯେବେ ଏଲନ ମସ୍କଙ୍କ କମ୍ପାନି ଟେସଲା ଓ ଷ୍ଟାରଲିଙ୍କ ଭାରତରେ ପ୍ରବେଶକୁ ନେଇ ରୁଚି ଦେଖାଇଛି । ଟେସଲା ଭାରତରେ ମ୍ୟାନୁଫେକଚରିଂ ୟୁନିଟ୍ ସ୍ଥାପନ କରିବା ନେଇ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ ଆଧାରିତ ଇଣ୍ଟରନେଟ୍ ସେବା ଦେବା ପାଇଁ ଏୟାରଟେଲ୍ ଓ ଜିଓ ସହ ପାର୍ଟନରସିପ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରୀରେ ଆମେରିକା ଗସ୍ତରେ ଏଲନ ମସ୍କଙ୍କ ଆଲୋଚନା କରିଥିଲେ । ଦୁଇ ଦିନିଆ ଯାତ୍ରାରେ ଦୁଇ ନେତାଙ୍କ ମଧ୍ୟରେ ଇଲେକ୍ଟ୍ରିକ ଯାନ, ନବୀକରଣ ଉର୍ଜା ଓ ଅନ୍ତରୀକ୍ଷ ପରି କ୍ଷେତ୍ରରେ ସହଯୋଗିତା ବଢାଇବାର ସମ୍ଭାବନା ଦିଗରେ ସକରାତ୍ମକ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏଲନ ମସ୍କଙ୍କ ସାକ୍ଷାତ ପରେ ଏକ ପୋଷ୍ଟରେ ଲେଖିଥିଲେ ଯେ, ୱାଶିଂଟନ ଡିସିରେ ଏଲନ ମସ୍କଙ୍କ ବହୁତ ସରକରାତ୍ମକ ଆଲୋଚନା ହୋଇଛି । ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କଲୁ । ଏଥିରେ ଅନ୍ତରୀକ୍ଷ, ଗତିଶୀଳତା, ଜ୍ଞାନକୌଶଳ ଓ ନବୀକରଣ ସାମିଲ ଥିଲା । ଏସବୁ ଦିଗ ପ୍ରତି ମସ୍କ ମଧ୍ୟ ରୁଚି ପ୍ରକାଶ କରିଛନ୍ତି ।