ପଶ୍ଚିମବଙ୍ଗ ହିଂସା ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : ଆମ ଉପରେ କାର୍ଯ୍ୟପାଳିକା କ୍ଷେତ୍ରରେ ଦଖଲ ଦେବାର ଅଭିଯୋଗ ଲାଗୁଛି

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦାବିରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ଏହା ଉପରେ ଆଜି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯାଚିକା ଉପରେ ଶୁଣାଣି ସମୟରେ ବିଚାରପତି ବିଆର ଗବାଇ କହିଛନ୍ତି, ଆପଣ ଚାହାନ୍ତି ଯେ, ରାଷ୍ଟ୍ରପତି ଶାସନ ଲଗାଇବାକୁ ଆମେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେବୁ ? ସେମିତିରେ ବି ଆମ ଉପରେ କାର୍ଯ୍ୟପାଳିକା କ୍ଷେତ୍ରରେ ଦଖଲ ଦେବାର ଅଭିଯୋଗ ଲାଗୁଛି । ସୁପ୍ରିମକୋର୍ଟ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ଏହି ଟିପ୍ପଣୀ କରିଛନ୍ତି ।

ଆଇନଜୀବୀ ବିଷ୍ଣୁ ଜୈନ ୱକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେତେବେଳେ ସୁପ୍ରିମକୋର୍ଟ ଓ କ୍ଷମତାସୀନ ଦଳର ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉତ୍ପନ ହୋଇଛି । ବିଶେଷ କରି ତାମିଲନାଡୁ ରାଜ୍ୟପାଳଙ୍କ କେସରେ ଦିଆଯାଇଥିବା ଐତିହାସିକ ରାୟ ପରେ ଏହି ମାମଲା ଅଧିକ ସରଗରମ ହୋଇଛି । ରାଜ୍ୟପାଳ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧେୟକକୁ ନିଜ ପାଖରେ ପକାଇ ରଖିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟପାଳଙ୍କ ଏହା ମନମାନୀ କାମ ବୋଲି କୋର୍ଟ କହିଥିଲେ । ସମ୍ବିଧାନର ଅନୁଚ୍ଛେଦ୧୪୨ ଆଧାରରେ ବିଶେଷ ଅଧିକାର ପ୍ରୟୋଗ କରି ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ରୋକ୍ ଲଗାଇଥିଲେ ।

Related Articles

Back to top button