
ୟୁକ୍ରେନରେ ଚାଲିଥିବା ସାମରିକ ଅଭିଯାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ଆସନ୍ତା ମାସରେ ବିଜୟ ଦିବସ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ଚାଲିଥିବା ସାମରିକ ଅଭିଯାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ସୋମବାର ଅପରାହ୍ନରେ କ୍ରେମଲିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମେ ୭-୮ ମଧ୍ୟରାତ୍ରିରୁ ମେ ୧୦-୧୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅସ୍ତ୍ରବିରତି ଜାରି ରହିବ। ଏହି ବିବୃତିରେ ୟୁକ୍ରେନକୁ ଅସ୍ତ୍ରବିରତି ପାଳନ କରିବାକୁ ନିବେଦନ କରାଯାଇଛି। ୟୁକ୍ରେନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହେଲେ ଋଷୀୟ ସଶସ୍ତ୍ର ବାହିନୀ ଏହାର ଯଥେଷ୍ଟ ଓ ପ୍ରଭାବଶାଳୀ ଜବାବ ଦେବ। ୟୁକ୍ରେନ ସଙ୍କଟର ମୂଳ କାରଣକୁ ଦୂର କରିବା ଏବଂ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ଗଠନମୂଳକ ବାର୍ତ୍ତାଳାପ ଉଦ୍ଦେଶ୍ୟରେ ବିନା ସର୍ତ୍ତରେ ଶାନ୍ତି ଆଲୋଚନା ପାଇଁ ରୁଷ୍ ପୁଣି ଥରେ ଘୋଷଣା କରିଛି।
ଅନ୍ୟପକ୍ଷରେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଆରମ୍ଭ କରିବା ନିମନ୍ତେ ପରିସ୍ଥିତିକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଛନ୍ତି। ମସ୍କୋ ବିଜୟ ଦିବସ ପରେଡ୍ ହେଉଛି ମେ ୯ ତାରିଖରେ ମସ୍କୋର ରେଡ୍ ସ୍କୋୟାରରେ ରୁଷୀୟ ସଶସ୍ତ୍ର ବାହିନୀର ଏକ ବାର୍ଷିକ ସାମରିକ ପରେଡ୍। ଏହି ପରେଡ୍ ହେଉଛି ନାଜି ଜର୍ମାନୀକୁ ଲାଲ ସେନାକୁ ଆତ୍ମସମର୍ପଣ କରିବାର ସ୍ମୃତି, ଯାହା ଦ୍ବିତୀୟ ବିଶ୍ୱଯୁଦ୍ଧର ପୂର୍ବ ମୋର୍ଚ୍ଚାର ଅନ୍ତ କୁ ଦର୍ଶାଏ, ଯାହା ଋଷରେ ମହାନ ଦେଶଭକ୍ତି ଯୁଦ୍ଧ ଭାବରେ ପରିଚିତ।