କେବଳ ସରକାରୀସ୍ତରରେ ବ୍ୟବହାର ହେବ ଅଶୋକସ୍ତ

ଜାତୀୟ ଚିହ୍ନ ଅଶୋକସ୍ତମ୍ଭର ଅପବ୍ୟବହାରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନକୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ଠାରେ ଏହାର ଅପବ୍ୟବହାର କରାଯାଉଥିବାର ଘଟଣା ସାମ୍ନାକୁ ଆସିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଭାରତର ଜାତୀୟ ଚିହ୍ନ ଆଇନ-୨୦୦୫ ଏବଂ ନିୟମ-୨୦୦୭ ଓ ସଂଶୋଧନ ଆଇନ-୨୦୧୦ ଅନୁଯାୟୀ ଜାତୀୟ ଚିହ୍ନ କେବଳ ସରକାରୀସ୍ତରରେ ବ୍ୟବହାର ହେବା କଥା । କିନ୍ତୁ କେତେଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଉଲ୍ଲଂଘନ କରୁଥିବା ନଜରକୁ ଆସିଛି । ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମସଚିବ ଜି. ପାର୍ଥସାରଥି ମୁଖ୍ୟଶାସନ ସଚିବଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ଗୃହବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ୨୯ ମାର୍ଚ୍ଚରେ ସବୁ ଆର୍ଡିସି ଓ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଥିବାବେଳେ ଚଳିତମାସ ୧୭ରେ ଜଳସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମସଚିବ ପାର୍ଥସାରଥି ପତ୍ରରେ ଦର୍ଶାଇଥିଲେ, ଭାରତର ଜାତୀୟ ଚିହ୍ନ ତିନୋଟି ଅଶୋକସ୍ତମ୍ଭ ସହିତ ଅଶୋକଚକ୍ର ଓ ସତ୍ୟମେବ ଜୟତେ(ଦେବନାଗରୀ ଭାଷା) ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କ ନିୟମ ଅନୁଯାୟୀ ରହିବା କଥା, ହେଲେ କେତେଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଏହାର ଉଲ୍ଲଂଘନ କରୁଥିବା ନଜରକୁ ଆସିଛି। କେତେକ ସ୍ଥାନରେ ଅଶୋକସ୍ତମ୍ଭ ତଳେ ସତ୍ୟମେବ ଜୟତେ ଦେବନାଗରୀ ଭାଷାରେ ଉଲ୍ଲେଖ ରହୁନାହିଁ, ଯାହା କି ଜାତୀୟ ଚିହ୍ନ ପ୍ରତି ଅବମାନନା ହେଉଛି। ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ନିୟମକୁ ଠିକଣା ଭାବେ ପାଳନ କରିବା ଲାଗି ସେ ଦର୍ଶାଇଛନ୍ତି।

Related Articles

Back to top button