ଶ୍ରୀମନ୍ଦିର ସେବକ ଭାବେ କାହିଁକି ଯୋଗଦେଲେ , ଏନେଇ ଜବାବ ରଖିବେ ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର

ଦଇତାପତି ସେବକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ଆଉ ଏକ କୈଫିୟତ୍ ତଲବ ନୋଟିସ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୋଟିସ ପାଇବାର ୨ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି । ଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।ନୋଟିସରେ କୁହାଯାଇଛି ଯେ, ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶ୍ରୀ ଦାସ ମହାପାତ୍ର ଯୋଗଦାନ କରି ସେବକ ଦଳର ନେତୃତ୍ବ ନେଉଥିବା ଚିତ୍ର ତଥା ଭିଡିଓ ବିଭିନ୍ନ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଅଛି । ଦୀଘା ଠାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ନିର୍ଦ୍ଦିଷ୍ଟ ଭାବେ ଉଦଘାଟନ ସମୟରେ “ଜଗନ୍ନାଥଧାମ- ଦୀଘା” ଲେଖାଯିବା ସହ ଏନେଇ ଫଳକ ଲଗାଯିବା ନଜରକୁ ଆସିଅଛି ।

ପୁରୀ ପରମଆରାଧ୍ୟ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ ଜଗନ୍ନାଥଙ୍କ ପବିତ୍ର ଆଦ୍ଯ ଓ ନିତ୍ୟ ପୀଠ । ଶାସ୍ତ୍ରୀୟ ମତ ଅନୁସାରେ, ଭାରତବର୍ଷର ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ ହେଉଛି ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଧାମ । ମହାପ୍ରଭୁଙ୍କ ଜଣେ ବରିଷ୍ଠ ଦଇତାପତି ସେବକ ଭାବେ ଏସମ୍ପର୍କରେ ଅବଗତ ଥାଇ ମଧ୍ୟ ଜଗନ୍ନାଥ ଧାମ ଦୀଘା ସ୍ବ-ନାମିତ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ ଦ୍ବାରା ଶ୍ରୀମନ୍ଦିର ପରମ୍ପରା ନେଇ ଭକ୍ତଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଅଛି ଏବଂ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ଆଘାତ ଲାଗିଅଛି ।ତେଣୁ “ଜଗନ୍ନାଥଧାମ- ଦୀଘା” ନାମିତ ଏକ ମନ୍ଦିରର କାର୍ଯ୍ୟକ୍ରମକୁ ଶ୍ରୀମନ୍ଦିର ସେବକ ଭାବେ କାହିଁକି ଯୋଗଦେଲେ ଏବଂ ସେତେବେଳେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତାମାନଙ୍କୁ ଏହାର ପ୍ରତିବାଦ କରିଥିଲେ ନା ନାହିଁ, ସେନେଇ କୈଫିୟତ୍ ରଖିବାକୁ ନୋଟିସରେ କୁହାଯାଇଛି ।

Related Articles

Back to top button