
ଭାରତ ଏବେ ପୁରୁଣା ଚୁକ୍ତିନାମାରୁ ବାହାରି ଆସିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ମୋଦୀ
ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜରାଟ ଗସ୍ତରେ ଥିବା ମୋଦୀ ଗାନ୍ଧୀନଗର ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ୧୯୬୦ ମସିହା ସିନ୍ଧୁ ଜଳ ଚୁକ୍ତିନାମାର ବିସ୍ତୁତ ବିବରଣୀ ରଖି ସୂକ୍ଷ୍ମ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ଏବେ ପୁରୁଣା ଚୁକ୍ତିନାମାରୁ ବାହାରି ଆସିବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମାର ବିବରଣୀକୁ ଯଦି ଦେଖିବା ତେବେ ଆଶ୍ଚର୍ଯ୍ୟ ହୋଇଯିବେ । ଏପରିକି ଜମ୍ମୁ ଏବଂ କାଶ୍ମୀରରେ ନିର୍ମିତ ନଦୀବନ୍ଧଗୁଡିକୁ ସଫା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ୬୦ବର୍ଷ ଧରି ନଦୀବନ୍ଧର ଗେଟ୍ ଖୋଲାଯାଇନଥିଲା । ଏପର୍ଯ୍ୟନ୍ତ ମୁଁ ବେଶି କିଛି କରିନାହିଁ, କେବଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି । ଏହି କାରଣରୁ ସେମାନଙ୍କର ଚିନ୍ତା ବଢିଯାଇଛି । ଆମେ କେବଳ ବନ୍ଧର ଗେଟ୍ ଖୋଲି ଅଳିଆ ସଫା କରୁଛୁ, ଏତିକିରେ କିନ୍ତୁ ସେଠାରେ ବନ୍ୟା ହୋଇଛି ।
ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ମୋଦୀ କହିଛନ୍ତି ମାତୃଭୂମି ପ୍ରତି ଅପାର ପ୍ରେମ ଦେଖିବାକୁ ମିଳୁଛି । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ । ଆତଙ୍କବାଦର କଣ୍ଟାକୁ କାଢିକି ହିଁ ରହିବୁ । ପାକିସ୍ତାନକୁ ଜଣା ଯୁଦ୍ଧରେ ସେ ଜିତି ପାରିବ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ ଆମେ ଦେଶର ବିକାଶ ଓ ପ୍ରଗତି ଚାହୁଛୁ । ଆମେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରୁ । ପ୍ରତିଟି ଆକ୍ରମଣର ସଠିକ୍ ଜବାବ ମିଳିବ, ଇଟାର ଜବାବ ପଥରରେ ଦେବୁ ବୋଲି ମୋଦୀ ସିଧାସିଧା ଟାର୍ଗେଟ କରିଛନ୍ତି ।