ଆସନ୍ତା ୨୯ ତାରିଖରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ପୁରୀରୁ କରିବେ କେନ୍ଦ୍ର କୃଷି ମନ୍ତ୍ରୀ

ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ । ସର୍ବ ଭାରତୀୟ ଯୋଜନାର ଶୁଭାରମ୍ଭ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରୁ ହେବ ଆରମ୍ଭ। ଆସନ୍ତା ୨୯ ତାରିଖରେ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆସନ୍ତାକାଲି ସେ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ୨୯ ମଇରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ତେବେ ଏନେଇ କେନ୍ଦ୍ରୀୟ ଅଧିକାରୀଙ୍କ ସହ ରାଜ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସରେ ଆଲୋଚନା ହୋଇଛି। କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ର କୃଷି ମନ୍ତ୍ରୀ ଆସନ୍ତାକାଲି (୨୮ ତାରିଖରେ) ଓଡ଼ିଶାରେ ପହଞ୍ଚି ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସାକ୍ଷୀ ଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଆସିବେ, ତା ପରେ କାର୍ଯ୍ୟକ୍ରମ ଉଦଘାଟନ କରିବେ। ଏହାପରେ ଓୟୁଏଟିରେ କନଫରେନ୍ସ ମାଧ୍ୟମରେ ମିଟିଂ କରିବେ। କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

Related Articles

Back to top button