ଆଜି ଅଣସର ଏକାଦଶୀରେ ଦଶମୂଳମୋଦକ ଲାଗି

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜ୍ବରରେ ପୀଡ଼ିତ ମହାପ୍ରଭୁ । ଆଜି ଅଣସର ଏକାଦଶୀରେ ଦଶମୂଳମୋଦକ ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବାପରେ ଆଜି ଏହାକୁ ଲାଗି କରାଯିବ । ସ୍ନାନପୂର୍ଣ୍ଣିମା ଠାରୁ ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଦଶମୀରେ ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ ।

ଆଜି ଖଳିଲାଗି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହଙ୍କୁ ଲାଗି କରାଯିବାର ବିଧି ରହିଛି । ଆଜି ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବେ । ମହାପ୍ରଭୁଙ୍କ ଠାରେ ତୁଳସୀ ଲାଗି ହେବାପରେ ଦଶମୂଳ ମୋଦକ ଲାଗି କରାଯିବ । ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଶ୍ରଦ୍ଧାଳୁଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି । ଆସନ୍ତାକାଲି ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ପ୍ରଦାନ କରିବେ ଦଇତାପତି ସେବାୟତ ।

Related Articles

Back to top button