
ପୁଣି ଦୁଇଟି ଲଘୁଚାପ: ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା
ଆସୁଛି ୨ଟି ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ସାରା ରାଜ୍ୟରେ ବର୍ଷା ନେଇ ଶନିବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଅଧିକ ବର୍ଷା ନେଇ ବହୁ ଜିଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ୧୬ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁନ୍ ୩୦ ଓ ଜୁଲାଇ ୧ରେ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବ ଏବଂ ପଶ୍ଚିମ ଭାଗରେ ଯୋଡା ଲଘୁଚାପ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ଜୁଲାଇ ୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଭିନ୍ନ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଦକ୍ଷିଣ ଭାଗ ଓ ଉତ୍ତର-ପୂର୍ବ ଆରବ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗାମୀ ୧୨ ଘଣ୍ଟାରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।
ଆସନ୍ତା ୨୯ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ସୂଚନା ଦିଆଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।