
ଚାପୁଡ଼ା ମାରିବାକୁ ହାତ ଉଠାଇଥିଲେ ସିଦ୍ଧରମେୟା : ସ୍ଵେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି ଅତିରିକ୍ତ ଏସପି
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବେଲଗାଭିରେ ଆୟୋଜିତ ଏକ ଜନସଭାରେ ସର୍ବସମ୍ମୁଖରେ ମଞ୍ଚ ଉପରେ ଅତିରିକ୍ତ ଏସପିଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ଅତିରିକ୍ତ ଏସପି ସ୍ଵେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏପରି ଅପମାନ ତାଙ୍କୁ ବହୁମାତ୍ରାରେ ହତୋତ୍ସାହିତ କରିଥିବାରୁ ସେ ଏଭଳି ପଦକ୍ଷେପ ନେବାକୁ ଉଚିତ ମଣିଲେ ବୋଲି ଅତିରିକ୍ତ ଏସପି ଏନ.ଭି. ବାରାମଣି କହିଛନ୍ତି।ଗତ ଏପ୍ରିଲ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ନୀତି ବିରୋଧରେ କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା।
ମଞ୍ଚ ଉପରେ ସମସ୍ତ କାର୍ଯ୍ୟ ବ୍ୟବସ୍ଥିତ କରିବା ଲାଗି ବାରାମଣିଙ୍କୁ ଦାୟିତ୍ଵ ଦିଆଯାଇଥିଲା। ସେ ତାଙ୍କ କର୍ତ୍ତବ୍ୟ ଠିକ ଭାବେ ତୁଲାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ବାରାମଣିଙ୍କୁ ଡାକିଥିଲେ। ବାରାମଣି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଚାପୁଡ଼ା ମାରିବା ଉଦ୍ଦେଶ୍ୟରେ ତାଙ୍କୁ ହାତ ଉଠାଇଥିଲେ। ଯାହାକୁ ନେଇ ସେ ବହୁ ଲଜ୍ଜିତ ଅନୁଭବ କରିଥିଲେ ବୋଲି ବାରାମଣି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ତତ୍କାଳ ଜବାବ ଦେବାକୁ ସେ ଚିନ୍ତା କରିଥିଲେ। କିନ୍ତୁ ଜନସଭାରେ ମୁଖ୍ୟମନ୍ତ୍ରୀ ଅପ୍ରୀତିକର ପରିସ୍ଥିତର ସମ୍ମୁଖୀନ ନ ହେବା ଦୃଷ୍ଟିରୁ ସେ ନୀରବ ରହିଥିଲେ ବୋଲି କହିଛନ୍ତି। ଅନ୍ୟପଟେ ବାରାମଣୀ ସ୍ଵେଚ୍ଛାକୃତ ଅବସର ନେବା ବିଷୟରେ ସାମ୍ନାକୁ ଆସିବା ପରେ ବିଜେପି ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅତିରିକ୍ତ ଏସପିଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।