ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାର ତଦନ୍ତ ପ୍ରକ୍ରିୟା ୭ ଦିନ ମଧ୍ୟରେ ହେବ ଶେଷ

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ତଦନ୍ତ ପ୍ରକ୍ରିୟା ୭ ଦିନ ମଧ୍ୟରେ ଶେଷ ହେବ। ଗତ ୧୨ ତାରିଖରେ ଏହି କମିଟି ଗଠନ ହୋଇଥିଲା। ୨୫ ତାରିଖ ସୁଦ୍ଧା କମିଟି ରିପୋର୍ଟ ଦେବ। ଶୀଘ୍ର ତଦନ୍ତ ସାରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କମିଟିକୁ ନିର୍ଦେଶ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା। କମିଟି ପ୍ରାଥମିକ ରିପୋର୍ଟ ଦାଖଲ କରି ସାରିଥିବାବେଳେ ୭ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି କମିଟିରେ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର, ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ସ୍ବୟଂସାଶିତ ମହାବିଦ୍ୟାଳୟର ପ୍ରଫେସର ଝୁମକି ରଥ ଅଛନ୍ତି। ପୂର୍ବରୁ ଗିରଫ ହୋଇଥିବା ଅଧ୍ୟକ୍ଷ ଦୀଲ୍ଲିପ ଘୋଷ ଓ ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ କମିଟି ବହୁ ତଥ୍ୟ ପାଇଛି। ଉଭୟ ନିଜ କାମରେ ଅବହେଳା କରିଥିବା କମିଟି ଜାଣିବାକୁ ପାଇଛି। କେଉଁ ସ୍ଥିତିରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କଲେ ସେନେଇ ତଦନ୍ତ କରାଯାଉଛି। ନିଲମ୍ବିତ ହୋଇ କାରାଗାରରେ ଥିବା ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଖୁବଶୀଘ୍ର ବିଦା କରାଯିବ। ଉଭୟ କାର୍ଯ୍ୟରେ ଅବହେଳା କରିଥିବା ଜଣା ପଡ଼ିଥିବାରୁ ବିଭାଗ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି। ଏହି କମିଟି ଶୁକ୍ରବାର ପୁନର୍ବାର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଗସ୍ତ କରିବ। ସେଠାରେ ମୃତ ଛାତ୍ରୀଙ୍କ ସହପାଠୀ, ଅଧ୍ୟାପକ, କର୍ମଚାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଆଲୋଚନା କରିବ। ଆସନ୍ତା ୨୫ ତାରିଖ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଶେଷ ହେବ। କମିଟି ରିପୋର୍ଟ ଅନୁସାରେ ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ସହ କର୍ତ୍ତବ୍ୟରେ ଅବହେଳା କରିଥିବା ଅନ୍ୟମାନଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ ଦୃଢ଼଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

Related Articles

Back to top button