
କଂଗ୍ରେସ ଉପରେ ଲୋକସଭାରେ ବର୍ଷିଲେ ଶାହ
ଆଜି ଲୋକସଭା ଓ ରାଜ୍ୟସଭାରେ ପୁଣି ଥରେ ଅପରେସନ ସିନ୍ଦୂର ନେଇ ବିତର୍କ ହୋଇଛି । ସୋମବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡା ଜବାବ ଦେଇ ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୁତ ତଥ୍ୟ ରଖିଥିଲେ । ପହଲଗାଓଁ ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି ।ବିରୋଧୀଙ୍କୁ ଜବାବ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ହୋଇଥିଲା । କୌଣସି ସାଧାରଣ ନାଗରିକ ଶିବିରିକୁ ଟାର୍ଗେଟ କରାଯାଇନଥିଲା । ପୂର୍ବରୁ ପିଓକେ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହା ଏକ ପ୍ରକାର ଆମେ ଭାରତ ଭିତରେ ଆକ୍ରମଣ କରିଥିଲୁ କାରଣ ପିଓକେ ଆମର । ଏଥର ପିଓକେରୁ ୧୦୦କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କୁ ମାରିଥିଲୁ । ଶାହ କହିଛନ୍ତି ଯେ ଗତକାଲି ବିରୋଧୀ ପ୍ରଶ୍ନ ଉଠାଇଥିଲେ ଯେ କାହିଁକି ଯୁଦ୍ଧ ଆଗକୁ ବଢିଲା ନାହିଁ, ହଠାତ୍ ବନ୍ଦ ହୋଇଗଲା? । ଆଜି ପିଓକେ କେବଳ ଜବାହରଲାଲ ନେହେରୁଙ୍କ କାରଣରୁ ଅସ୍ତିତ୍ୱରେ ଅଛି । ୧୯୬୦ରେ ସେମାନେ ସିନ୍ଧୁ ନଦୀର ୮୦ଧ ଜଳ ପାକିସ୍ତାନକୁ ଦେଇ ଦେଇଥିଲେ । ୧୯୭୧ରେ ସିମଲା ଚୁକ୍ତି ସମୟରେ ସେମାନେ(କଂଗ୍ରେସ) ପିଓକେ ବିଷୟରେ ଭୁଲିଗଲେ । ଯଦି ସେତେବେଳେ ପିଓକେ ନେଇଥାନ୍ତେ, ତେବେ ଆଜି ଆମକୁ ସେଠାରେ ଥିବା କ୍ୟାମ୍ପଗୁଡିକ ଉପରେ ଆକ୍ରମଣ କରିବାକୁ ପଡିନଥାନ୍ତା ।
୧୯୪୮ରେ କାଶ୍ମୀରରେ ଆମର ସେନାର ପ୍ରାଧାନ୍ୟ ଥିଲା । ସର୍ଦ୍ଦାର ପଟେଲ ସବୁବେଳେ ଆମକୁ ଆଗକୁ ବଢିବାକୁ ଅନୁରୋଧ କରୁଥିଲେ, କିନ୍ତୁ ଜବାହରଲାଲ ନେହେରୁ ଏକପାଖିଆ ଯୁଦ୍ଧବିରତି ଘୋଷଣା କରିଥିଲେ । ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ କହୁଛି ଯେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ହେଉଛି ନେହେରୁଙ୍କ ଐତିହ୍ୟ । କେବଳ ଏତିକି ନୁହେଁ, ସିନ୍ଧୁ ଜଳ ଚୁକ୍ତିନାମାରେ ନେହେରୁ ଭାରତର ୮୦ପ୍ରତିଶତ ନଦୀର ଜଳ ପାକିସ୍ତାନକୁ ହସ୍ତାନ୍ତର କରିଥିଲେ ।ଶାହ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନିଜକୁ ପ୍ରାୟତଃ ଆତଙ୍କବାଦର ଶିକାର ହେଉଥିବା କହିଆସିଛି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କେତେକ ସମୟରେ ଏହାକୁ ଦୋହରାଇଛନ୍ତି । କିନ୍ତୁ ଯେତେବେଳେ ସେମାନଙ୍କର ସେନା ଆତଙ୍କବାଦୀଙ୍କ ଶେଷଯାତ୍ରାରେ ସାମିଲ ହୋଇଥାଏ ସେତେବେଳେ ସତ୍ୟ କଣ ବାହାରକୁ ଆସିଯାଏ । ଅପରେସନ ସିନ୍ଦୂର ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନର ଅସଲ ମୁହଁ ଖୋଲିଛି । ସେମାନଙ୍କର ବ୍ୟବସ୍ଥା କେତେ ପରିମାଣରେ ଆତଙ୍କବାଦୀଙ୍କ ସହ ଜଡିତ ତାହା ପ୍ରମାଣ ହୋଇଛି ।