
BJD ନେତା ପ୍ରୀତିରଞ୍ଜନ ଘଡେଇଙ୍କ ନାଁରେ ମାମଲା ରୁଜୁ
ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓରଫ୍ (ଡାନି)ଙ୍କ ନାଁରେ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା, ଗାଡ଼ି ଜାଳିଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡିବା ପାଇଁ ଲୋକଙ୍କୁ ଉସକାଉଥିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀଙ୍କ ପ୍ରୀତିରଞ୍ଜନ ଘଡେଇଙ୍କ ସମତେ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଘଟଣା ମୁତାବିକ ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍ଣରେ ଏକ ବାଇକ୍କୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା ଏବଂ ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା । ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ନାଁରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା, ପୁଲିସକୁ ଗାଳିଗୁଲଜ କରିବା ପରି ଅଭିଯୋଗରେ କେସ୍ ନଂ ୨୩୬/୨୫ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୬(ଏଫ୍), ୧୯୦, ୧୧୫(୨), ୩୫୧(୩), ୩୫୧(୨), ୨୯୬, ୪୯, ୧୨୬(୨), ୨୮୫, ୨୨୧, ୧୯୧(୨)ରେ ଏହି ମାମଲା ରୁଜୁ କରାଯାଇଛି ।
ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇ କାଳିଆପାଣି ଥାନା ଅଞ୍ଚଳର ଏକ ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି ତାଗିଦ କରିଥିଲେ । ଏହି ଭିଡିଓ ସେତେବେଳେ ଭାଇରାଲ୍ ହୋଇଥିଲା । ନିକଟ ଅତୀତରେ ବଡ଼ଚଣା ଥାନାରେ ପଶି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପୁଲିସକୁ ତାଗିଦ କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଗତକାଲିର ଘଟଣାରେ ପୂର୍ବତନ ମନ୍ତ୍ରୀ ଓ ତାଙ୍କ ସହଯୋଗୀମାନେ ପୁଲିସକୁ ଗାଳିଗୁଲଜ କରିବା ସହ ଗାଡ଼ି ଜାଳିଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ଆଜି ପୁଲିସ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି ।