
ବର୍ଷକର ଅପରାଧ ସମ୍ପର୍କିତ ତଥ୍ୟ ଦେବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
ରାଜ୍ୟରେ ବଢ଼ୁଥିବା ଅପରାଧକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀ ବୈଠକ ଡାକିଛନ୍ତି । ଆଜି ଅପରାହ୍ନ ୩ଟାରେ ଲୋକ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଗୃହ ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଓ ଗୁଇନ୍ଦା ବିଭାଗ ଡିଜି ପ୍ରମୁଖ ଉପସ୍ଥିତ ରହିବେ । ବୈଠକରେ ବର୍ଷକର ଅପରାଧ ସମ୍ପର୍କିତ ତଥ୍ୟ ଦେବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କ୍ରାଇମବ୍ରାଞ୍ଚ ଡିଜି ଓ ଗୁଇନ୍ଦା ବିଭାଗ ଡିଜି ମଧ୍ୟ ତଥ୍ୟ ରଖିବେ । ମୁଖ୍ୟମନ୍ତ୍ରୀ ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବଡ଼ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି । ଏହା ପରେ ଅପରାଧ ନିୟନ୍ତ୍ରଣ ନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବା ଅନୁମାନ କରାଯାଉଛି ।
ଗତ କିଛି ଦିନ ହେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ, ଚୋରୀ, ଛିନତାଇ ମାମଲା ଉପରମୁହାଁ ହୋଇଛି । ବିଶେଷ କରି ଗୋପାଳପୁର ଗଣ ଦୁଷ୍କର୍ମ ମାମଲା, ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମଦାହ ଓ ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ସରକାରଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ସଦ୍ୟତମ ଘଟଣାରେ ପୋଲିସର ଅବହେଳା ପାଇଁ କେନ୍ଦ୍ରାପଡ଼ାର ଜଣେ କଲେଜ ଛାତ୍ରୀ ପୋଡ଼ି ହୋଇ ପ୍ରାଣ ହାରିବା ମାମଲା ଯୋଡ଼ି ହୋଇଯାଇଛି । ତେଣୁ ଆଜିର ସମୀକ୍ଷା ବୈଠକ ବହୁତ ଗୁରୁତ୍ୱ ପୂର୍ଣ୍ଣ ବୋଲି କୁହାଯାଉଛି ।