
ବିରୋଧ ପ୍ରଦର୍ଶନ କରୁଥିବା ସମସ୍ତ ସାଂସଦଙ୍କୁ ନିଜ ହେପାଜତକୁ ନେଇ ଯାଇଛି ଦିଲ୍ଲୀ ପୋଲିସ
ନିର୍ବାଚନରେ ହେରଫର, ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗ ପ୍ରତିବାଦରେ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ନିର୍ବାଚନ ଆୟୋଗ ଅଭିମୁଖେ ଶୋଭାଯାତ୍ରା ବାହାର କରାଯାଇଛି । ତେବେ ଅଧା ରାସ୍ତାରେ ପୋଲିସ ବିରୋଧୀ ଦଳ ନେତାମାନଙ୍କୁ ଅଟକାଇ ଦେଇଛି । ଦିଲ୍ଲୀ ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ସମସ୍ତ ସାଂସଦଙ୍କୁ ନିଜ ହେପାଜତକୁ ନେଇ ଯାଇଛି । ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସମେତ ବିରୋଧୀ ଦଳର ସାଂସଦ ସାମିଲ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଭୀରୁ ବୋଲି କହିଛନ୍ତି ।
ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୨୫ ବିରୋଧୀ ଦଳର ସାଂସଦ ସଂସଦ ଭବନରୁ ନିର୍ବାଚନ ଆୟୋଗ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ । ରାସ୍ତାରେ ଦିଲ୍ଲୀ ପୋଲିସ କଡା ସୁରକ୍ଷା ବନ୍ଦୋବସ୍ତ କରିଥିଲା ଏବଂ ସାତୋଟି ସ୍ଥାନରେ ବ୍ୟାରିକେଡିଂ କରିଥିଲା । ସୂଚନା ଅନୁଯାୟୀ, ବିରୋଧୀ ଦଳର ସାଂସଦ ଏକ କିଲୋମିଟର ପାଦରେ ଚାଲି ଶୋଭାଯାତ୍ରାରେ ଯାଇଥିଲେ, ମାତ୍ର ଏହା ପୂର୍ବରୁ ପୋଲିସ ସମସ୍ତ ସାଂସଦଙ୍କୁ ଅଟକାଇ ନିଜ ହେପାଜତରେ ନେଇଛି । ସମସ୍ତ ସାଂସଦ ରାସ୍ତାରେ ନାରାବାଜି କରିବା ସହ ଚୋର ଚୋର ଚିତ୍କାର କରିଥିଲେ ।
ମତାଦାତା ତାଲିକାରେ ହେରଫେର ଅଭିଯୋଗ କରିଛନ୍ତି ସାଂସଦ ରାହୁଲ ଗାନ୍ଧୀ । ଏହା ବିରୋଧୀଙ୍କ ପ୍ରଥମ ଆନ୍ଦୋଳନ ଅଟେ । ଏଥିରେ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ, ଶରଦ ପାୱାର, ସାଂସଦ ପ୍ରିୟଙ୍କା ଗାନ୍ଧୀ, ଶଶି ଥରୁର, ଜୟରାମ ରମେଶ, ଅଖିଳେଶ ଯାଦବ (ସମାଜପାର୍ଟୀର ଅଧ୍ୟକ୍ଷ), ସାଂସଦ ଡିମ୍ପଲ ଯାଦବ (ସମାଜପାର୍ଟୀ) ଓ ସଞ୍ଜୟ ରାଉତ (ଶିବସେନା) ପ୍ରମୁଖ ସାମିଲ ହୋଇଛନ୍ତି । ତେବେ ଏହି ଆନ୍ଦୋଳନ ପାଇଁ ବିରୋଧୀ ଦଳ ଦିଲ୍ଲୀ ପୋଲିସଠାରୁ ଅନୁମତି ନେଇ ନଥିବା ଜଣାପଡ଼ିଛି । ବିନା ଅନୁମତି ଆନ୍ଦୋଳନ କରାଯାଉଛି । ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ସଚିବାଳୟ ପକ୍ଷରୁ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କୁ ଚିଠି କରାଯାଇଛି । ଆଜି ଆଲୋଚନା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସ୍ଥାନ ଏବଂ ପାର୍କିଂ ସମସ୍ୟା ପାଇଁ ସର୍ବାଧିକ ୩୦ ଜଣ ବୈଠକରେ ସାମିଲ ହୋଇ ପାରିବେ ବୋଲି କୁହାଯାଇଛି ।