ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା

ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି । ଓଡ଼ିଶା ଭବନରେ ଓଡିଆ ଐତିହ୍ୟର ଝଲକ ରହିବ । ରାଜ୍ୟର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟରଙ୍କୁ ପରାମର୍ଶ ଦେଇଥିଲେ ।

ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୋଟ ୪,୭୬୧ ବର୍ଗ ମିଟର ନିର୍ମାଣ ଅଞ୍ଚଳରେ ଏହି G+6 ଭବନ ନିର୍ମାଣ କରାଯିବ । ଏଥିରେ ମୋଟ ୪୫ଟି କୋଠରୀ ରହିବ। ଓଡ଼ିଶା ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି ।ସେହିପରି ମୁମ୍ବାଇକୁ ଓଡ଼ିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଥିବାରୁ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିସହିତ ଓଡ଼ିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡ଼ିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ମଧ୍ୟ ଓଡ଼ିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ବୈଠକରେ କୋଲକତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

Related Articles

Back to top button