କ୍ରୀଡ଼ା ମନ୍ତ୍ରାଳୟର ନିଷ୍ପତ୍ତି ଅନୁଯାୟୀ, ଭାରତ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା କିମ୍ବା ଇଭେଣ୍ଟରେ ପାକିସ୍ତାନ ବିପକ୍ଷରେ ଖେଳିବ ନାହିଁ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ କୌଣସି କ୍ରୀଡ଼ାରେ ଭାରତ ଓ ପାକିସ୍ତାନ ମ୍ୟାଚ ଉପରେ ନିଜର ମତ ସ୍ପଷ୍ଟ କରିଛି। କ୍ରୀଡ଼ା ମନ୍ତ୍ରାଳୟର ନିଷ୍ପତ୍ତି ଅନୁଯାୟୀ, ଭାରତ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା କିମ୍ବା ଇଭେଣ୍ଟରେ ପାକିସ୍ତାନ ବିପକ୍ଷରେ ଖେଳିବ ନାହିଁ। କିନ୍ତୁ ଭାରତୀୟ ଦଳକୁ ଅନ୍ତର୍ଜାତୀୟ ମ୍ୟାଚ କିମ୍ବା ବହୁଦେଶୀୟ ପ୍ରତିଯୋଗିତାରେ ପାକିସ୍ତାନ ସହ ଖେଳିବାକୁ ବାରଣ କରାଯିବ ନାହିଁ । ଏହାର ସ୍ପଷ୍ଟ ଅର୍ଥ ହେଉଛି କ୍ରୀଡ଼ା ମନ୍ତ୍ରାଳୟ ଏସିଅା କପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଖେଳିବା ନେଇ କୌଣସି ଆପତ୍ତି କରିବ ନାହିଁ। ଏଥିସହିତ ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ରୋକାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ଏବଂ ଭାରତ ସରକାର ପାକିସ୍ତାନ ଦଳକୁ ଭାରତରେ ଖେଳିବାକୁ ଅନୁମତି ଦେବ ନାହିଁ। କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ ନାହିଁ। କିନ୍ତୁ କୌଣସି ଭାରତୀୟ ଖେଳାଳି କିମ୍ବା ଦଳକୁ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବାରେ ବାରଣ କରାଯିବ ନାହିଁ। ଅନ୍ୟପକ୍ଷରେ ଭାରତ ଦ୍ବାରା ଆୟୋଜିତ କୌଣସି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ କିମ୍ବା ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କୁ ବାରଣ କରାଯିବ ନାହିଁ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତ ସରକାରଙ୍କ ଲକ୍ଷ୍ୟ ହେଉଛି ଦେଶକୁ ଯଥାସମ୍ଭବ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ କରିବା। ବିଦେଶୀ ଖେଳାଳି ଏବଂ ଦଳ ଗୁଡ଼ିକୁ ଭାରତ ଆସିବା‌େ‌ର ଅଧିକ ଅସୁବିଧାର ସମ୍ମୁଖୀନ ନହେବା ପାଇଁ ସରକାର ପ୍ରକ୍ରିୟାକୁ ସରଳ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନ ଗୁଡ଼ିକ ପାଇଁ ଭିସା ପ୍ରକ୍ରିୟାକୁ ସରଳ କରାଯାଇଛି। ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନ ଗୁଡ଼ିକ ସହ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୟୁଏଇରେ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ଏସିଆ କପ କ୍ରିକେଟ-୨୦୨୫ ଖେଳାଯିବ। ଏଥିପାଇଁ ମଙ୍ଗଳବାର ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ଏସିଅା କପ୍‌ ଲାଗି ପୂର୍ବରୁ ମଧ୍ୟ ପାକିସ୍ତାନ ଦଳ ଘୋଷଣା ହୋଇସାରିଥିଲା। ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷଣା ‌େହବା ମା‌େତ୍ର ବିସିସିଆଇ ବିବାଦ ଘେରକୁ ଆସିିଥିଲା। ବିସିସିଆଇ ଟଙ୍କା ପାଇଁ ସବୁ କିଛି କରିପାରେ ବୋଲି ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଥିଲା। ପାକିସ୍ତାନ ବିପକ୍ଷରେ ମ୍ୟାଚ ନଖେଳିବା ସହ ଏସିଆ କପରୁ ଓହରି ଯିବା ନେଇ ଦାବି କରାଯାଇଥିଲା। ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ନଖେଳିବା ନେଇ ବିଭିନ୍ନ ମହଲରୁ ଚାପ ପଡ଼ିଥିଲା। ଏପରିକି ଏ ନେଇ କେନ୍ଦ୍ର ସରକାର ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ନଖେଳିବା ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରାଯାଇଥିଲା।

ଏହା ପରେ ଗୁରୁବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟଚ ଖେଳିବା ନେଇ ସ୍ପଷ୍ଟ କରିଛି। ନିକଟରେ ଇଂଲଣ୍ଡରେ ଆୟୋଜିତ ବିଶ୍ବ ଚମ୍ପିଆନ୍‌ସିପ ଅଫ ଲିଜେଣ୍ଡ୍‌ସରେ ଭାରତ ଚମ୍ପିଆନ୍‌ସ ଦଳ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାରୁ ଓହରି ଯାଇଥିଲେ। ୟୁସୁଫ ପଠାନ, ଶିଖର ଧୱାନ, ଇର୍ଫାନ ପଠାନ, ଯୁବରାଜ ସିଂହଙ୍କ ଭଳି ଖେଳାଳି ବିଶ୍ବ ଚମ୍ପିଆନସିପ ଅଫ ଲିଜେଣ୍ଡ୍‌ସରେ ପାକିସ୍ତାନ ଚମ୍ପିଆନ୍‌ସ ବିପକ୍ଷ ମ୍ୟାଚ ଖେଳିବାକୁ ମନା କରି ଦେଇଥିଲେ। ଏସିଆ କପରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବ ନାହିଁ ବୋଲି ଦେଶବାସୀ ଭାବିଥିଲେ। ଦେଶବାସୀ ପହେଲଗାଓଁ ଆକ୍ରମଣର ପ୍ରତିଶୋଧ ସ୍ବରୂପ ବିସିସିଆଇ ପାକିସ୍ତାନ ସହ ଖେଳିବାକୁ ମନା କରିବ ବୋଲି ଆଶା କରାଯାଉଥିଲା। ହେଲେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ନେଇ ସ୍ପ‌ଷ୍ଟ ହେବା ପରେ ଏବେ ବିସିସିଆଇକୁ ବାସନ୍ଦ କରିବାକୁ ଦାବି ଉଠିଛି।

Related Articles

Back to top button