
ବିହାରରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନେ ଆଧାର କାର୍ଡ ଓ ଆବଶ୍ୟକ ଫର୍ମ ଜରିଆରେ ଆପତ୍ତି ଅଭିଯୋଗ କରିପାରିବେ
ବିହାରରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକମାନେ ଆଧାର କାର୍ଡ ଓ ଆବଶ୍ୟକ ଫର୍ମ ଜରିଆରେ ଆପତ୍ତି ଅଭିଯୋଗ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାର ଅର୍ଥ, ଭୋଟର ତାଲିକାରେ ସ୍ଥାନ ପାଇବା ପାଇଁ ଆଧାରକୁ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବ । ପୂର୍ବରୁ ଭୋଟର ତାଲିକାରେ ସ୍ଥାନ ପାଇବା ପାଇଁ ଆଧାରକାର୍ଡକୁ ଗ୍ରହଣ କରିବାକୁ ନିର୍ବାଚନ କମିସନ ମନା କରିଥିଲେ । ଏନେଇ କମିସନ ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏବେ ସୁପ୍ରିମକୋର୍ଟଙ୍କ ରାୟ ନିର୍ବାଚନ କମିସନଙ୍କୁ ଶକ୍ତ ଚାପୁଡ଼ା ପରି ହୋଇଛି । ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ନିର୍ବାଚନ କମିସନଙ୍କ ୬ ନମ୍ୱର ଫର୍ମରେ ଉଲ୍ଲେଖ ଥିବା ୧୧ଟି ପ୍ରମାଣ ମଧ୍ୟରୁ ଯେକୌଣସି ଗୋଟିଏ ଦେଇ ଆପତ୍ତି ଅଭିଯୋଗ ଏବଂ ଭୋଟର ତାଲିକାରେ ସାମିଲ ପାଇଁ ଦାବି କରିହେବ। ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକ ଓ ବୁଥସ୍ତରୀୟ ଏଜେଣ୍ଟ ଅନଲାଇନରେ ଅଭିଯୋଗ କରିପାରିବେ । ତେବେ ବ୍ୟକ୍ତିଗତ ଭାବେ ହାଜର ହୋଇ ଫର୍ମ ଦାଖଲ କରୁଥିବା ଲୋକଙ୍କୁ ବୁଥସ୍ତରୀୟ ଏଜେଣ୍ଟ ପ୍ରାପ୍ତି ସ୍ୱୀକାର ପତ୍ର ଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ତାଲିକାରୁ ପ୍ରାୟ ୬୫ ଲକ୍ଷ ଲୋକ ବାଦ୍ ପଡ଼ିଛନ୍ତି । ବାଦ୍ ପଡ଼ିଥିବା ଲୋକଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ରାଜନୈତିକ ଦଳମାନେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।