ଆଇଏସଆଇକୁ ଦେଉଥିଲେ ଗୋପନୀୟ ତଥ୍ୟ: ରାଜସ୍ଥାନରୁ ୬ ଜଣ ସନ୍ଦିଗ୍ଧ ଗିରଫ
ନୂଆଦିଲ୍ଲୀ: ରାଜସ୍ଥାନରେ ଗୁଇନ୍ଦା ବିଭାଗ ୬ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି । ଏମାନଙ୍କୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାରୁ ଗିରଫ କରାଯାଇଥିଲା ।
ସୂତ୍ରାନୁସାରେ, ରାଜସ୍ଥାନ ଗୁଇନ୍ଦା ବିଭାଗକୁ ସନ୍ଦିଗ୍ଧଙ୍କ ବାବଦରେ ତଥ୍ୟ ମିଳିଥିଲା । ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଗିରଫ ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।
ଏଡିଜି ଇଣ୍ଟେଲିଜେନ୍ସ କହିଛନ୍ତି ଯେ, 6ଜଣଙ୍କୁ ଗିରଫ କରାଯାଇଛି । ଏହି ସବୁ ଆଇଏସଆଇ ସହ ସମ୍ପର୍କ ରଖିଥିଲେ । ଗିରଫଙ୍କ ମଧ୍ୟରେ ଜୈଶଲମେରରୁ ଦୁଇ ଜଣ, ଜୋଧପୁରରୁ ୩ ଜଣ, ପାଲିରୁ ଜଣେ ରହିଛନ୍ତି । ଏମାନେ ସୋସିଆଲ ମିଡିଆ ଜରିଆରେ ସେନାର ଅନେକ ତଥ୍ୟ ପାକିସ୍ତାନ ପଠାଉଥିଲେ । ଏହି ଅଭିଯୁକ୍ତଙ୍କ ସହ ଆଉ କିଏକିଏ ରହିଛନ୍ତି ସେନେଇ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ଜୈଶଲମେରରେ ସେନା ଓ ବାୟୁସେନାର ଅନେକ ଷ୍ଟେସନ ଅଛି । ଫାୟାରିଂ ରେଞ୍ଜ୍ ମଧ୍ୟ ରହିଛି । ଏଠାରେ ଅନେକ ପାକିସ୍ତାନର ଏଜେଣ୍ଟ ଥିବା ଆଶଙ୍କା କରାଯାଉଛି । ଯେଉଁମାନେ ଶତ୍ରୁ ଦେଶକୁ ସହାୟତା କରୁଛନ୍ତି ।