ଆସନ୍ତା ବର୍ଷ ପରଦାକୁ ଆସିବ ରାଧିକାଙ୍କର ଏକାଧିକ ଫିଲ୍ମ
ମୁମ୍ଵାଇ ଟିଭିରୁ ବଡ଼ ପରଦା ପର୍ଯ୍ୟନ୍ତ ଅନେକ ସଫଳତା ଓ ବିଫଳତା ଯାତ୍ରା କରିଛନ୍ତି ରାଧିକା ମଦାନ । କଠିନ ପରିଶ୍ରମ ଓ ସମର୍ପଣଭାବ ଜରିଆରେ ନିଜ ଭାଗ୍ୟକୁ ସେ ନିଜେ ବଦଳାଇଛନ୍ତି । ‘ଅଙ୍ଗ୍ରେଜୀ ମିଡିୟମ୍’, ‘ପଟାଖା’ ଭଳି ଅନେକ ଲୋକପ୍ରିୟ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇଛନ୍ତି । ଏବେ ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟ ‘କଚ୍ଚେ ଲିମ୍ବୁ’ ୪୭ତମ ଟରଣ୍ଟୋ ଇଣ୍ଟରନ୍ୟାସ୍ନାଲ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇଛି ।
ଏବେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ରାଧିକା ନିଜ ଅପ୍କମିଙ୍ଗ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଆସନ୍ତା ନଭେମ୍ବର ୪ ତାରିଖରେ ତାଙ୍କ ଅଭିନୀତ ‘କୁତ୍ତେ’ ମୁକ୍ତିଲାଭ କରିବ । ହୋମି ଆଦାଜାନିଆଙ୍କ ନିର୍ଦ୍ଦେଶିତ ‘ସାସ୍ ବହୂ ଔର୍ କୋକେନ୍’ରେ ମଧ୍ୟ ସେ ନଜର ଆସିବେ। ଏହା ଏକ ୱେବ୍ ଶୋ’, ଯାହା ଡିଜ୍ନି ପ୍ଲସ୍ ହଟ୍ଷ୍ଟାର୍ରେ ମୁକ୍ତିଲାଭ କରିବ । ‘ଫିଲ୍ସ ଲାଇକ୍ ଇସ୍କ’ ପରେ ଏହା ତାଙ୍କର ୨ୟ ୱେବ୍ ଶୋ’ ହେବ । ସୁଧାଂଶୁ ସରିୟାଙ୍କ ‘ସନା’ରେ ମଧ୍ୟ ସେ ପରଦାରେ ନଜର ଆସିବେ । ସେତିକି ନୁହେଁ, ଅଭିନେତା ଅକ୍ଷୟ କୁମାରଙ୍କ ସହ ‘ସୂରାରାଇ ପୋଟ୍ଟରୁ’ର ରିମେକ୍ରେ ସେ ଦେଖାଦେବେ । ମ୍ୟାଡ୍ଡକ୍ ପ୍ରଡକ୍ସନ୍ ହାଉସ୍ ଅଧୀନରେ ‘ହାପ୍ପି ଟିଚର୍ସ ଡେ’ରେ ବି ଦେଖାଦେବେ ।
ଆସନ୍ତା ବର୍ଷ ଗୁରୁ ଦିବସ ଅବସରରେ ଫିଲ୍ମଟି ମୁକ୍ତିଲାଭ କରିବ । ରାଧିକାଙ୍କ ସହ ନିମ୍ରତ କୌର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଏହି ପ୍ରଡକ୍ସନ୍ ହାଉସ୍ ଅଧୀନରେ ଆଉ ଏକ ପ୍ରୋଜେକ୍ଟ ମଧ୍ୟ ରାଧିକା ସାଇନ୍ କରିଛନ୍ତି, ଯାହାର ଘୋଷଣା ଖୁବ୍ଶୀଘ୍ର ହେବ । ୨୦୨୨କୁ ଅତ୍ୟନ୍ତ ଶୁଭଙ୍କର ବର୍ଷ ବୋଲି ସେ କହିଛନ୍ତି । ଯାହାକୁ ସବୁଠୁ ବେଶି ଭଲପାଆନ୍ତି, ତାହା ପାଇଛନ୍ତି । ଏହାଠୁ ଅଧିକ ଆଉ କ’ଣ ବା ସେ ଆଶା କରିଥାନ୍ତେ । କାରଣ ଯେତେବେଳେ ସେ କ୍ୟାମେରା ସାମ୍ନାରେ ଥାନ୍ତି, ଘରେ ଥିବାଭଳି ଅନୁଭବ କରନ୍ତି । ଆସନ୍ତା ବର୍ଷ ଅନେକ ପ୍ରୋଜେକ୍ଟ ଜରିଆରେ ସେ ଦର୍ଶକଙ୍କ ସାମ୍ନାକୁ ଆସିବେ । ଏଥିପାଇଁ ଖୁବ୍ ଉତ୍ସାହିତ ଥିବା ରାଧିକା କହିଛନ୍ତି ।