ଏଣିକି ମଦପିଇ ଗାଡି ଚଳାଇ ଧରାପଡ଼ିଲେ ସିଧା ଗିରଫ ହେବେ

ରାଜଧାନୀରେ ମଦ୍ୟପ ଚାଳକଙ୍କୁ ଆଉ ନିସ୍ତାର ମିଳିବନି। ଏଣିକି ମଦପିଇ ଗାଡି ଚଳାଇ ଧରାପଡ଼ିଲେ ସିଧା ଗିରଫ ହେବେ। ମଦ ପିଇ ଗାଡି ଚଳାଇଲେ ଫାଇନ ନୁହେଁ ବରଂ ଏଥର ଗିରଫ ହେବେ ଡ୍ରାଇଭର। ନୂଆ କରି କମିଶନର ଭାବେ ଯୋଗଦେବା ପରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଏଭଳି ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିଛନ୍ତି ସଞ୍ଜୀବ ପଣ୍ଡା ।

ସୂଚନା ଅନୁସାରେ, ମଦ ପିଇ ଗାଡ଼ି ଚଲାଉ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେଲ୍‌‌ ପଠାଇବାକୁ ମୋଟର ପରିବହନ ଆଇନ-୧୯୮୮ର ଧାରା ୧୮୫ରେ ଉଲେଖ ରହିଛି। ଏପରିକି ପ୍ରଥମ ଥର ଏଭଳି ଅପରାଧ କରିଥିବା ଗାଡ଼ିଚାଳକଙ୍କୁ ପୋଲିସ ଗିରଫ କରି ଜେଲ୍‌‌ ପଠାଇପାରିବ। ଏହା ସହିତ ସମ୍ପୃକ୍ତ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅତିକମରେ ୩ମାସ ପାଇଁ ରଦ୍ଦ କରାଯିବ। ମଦ ପିଇ ଗାଡ଼ି ଚଳାଉଥିବାର ଡ୍ରାଇଭର ପ୍ରଥମଥର ଚିହ୍ନଟ ହେଲେ ତାଙ୍କ ବିରୁଦ୍ଧରେ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ନହଲେ ୧୦ହଜାର ଟଙ୍କା ଅଥବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌‌ ଦଣ୍ଡ ନହଲେ ୧୫ହଜାର ଟଙ୍କା ଅଥବା ଉଭୟ ଦଣ୍ଡର ପ୍ରାବଧାନ ରହିଛ। ଗତକାଲି ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚେକିଂ ଚାଲିଥିବା ବେଳେ ବିଳମ୍ବିତ ରାତିରେ କଟକ ରୋଡ଼ ନିକଟରୁ କାର ସହ ଚାରି ଜଣଙ୍କୁ ଗିରଫ କରିଥିଲା ପୁଲିସ । ଅତ୍ୟଧିକ ମଦ୍ୟପାନ କରିବା ସହ ସେମାନେ ପୁଲିସକୁ ଗାଳି ଗୁଳଜ କରୁଥିବା ସୂଚନା ମିଳିଛି । ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ କାରଟିକୁ ଜବତ କରାଯାଇଛି ।

Related Articles

Back to top button