ସେପ୍ଟେମ୍ବରରେ ୧ ଲକ୍ଷ ୪୭ ହଜାର ୬୮୬ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୦୨୨ ରେ ଜିଏସଟି ସଂଗ୍ରହ ୧ ଲକ୍ଷ ୪୭ ହଜାର ୬୮୬ କୋଟି ଟଙ୍କା ଟପିଛି । ଏଥିମଧ୍ୟରୁ ସିଜିଏସଟି ୨୫ ହଜାର ୨୭୧ ଏବଂ ଏସଜିଏସଟି ୩୧ ହଜାର ୮୧୩ କୋଟି ଟଙ୍କା ରହିଛି । ସେହିପରି ଆଇଜିଏସଟି ୮୦ ହଜାର ୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧ ହଜାର ୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦ ହଜାର ୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି ।

ସରକାର ସିଜିଏସଟି ବାବଦରେ ୩୧ ହଜାର ୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି ।

କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଏସଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି । ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା । ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ ତୁଳନାରେ ଅଧିକ ।

ଚଳିତ ମାସରେ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ୪୯ ହଜାର ୪୫୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ଏବଂ ଦ୍ବିତୀୟ ସର୍ବାଧିକ ୮.୭୭ ଲକ୍ଷ ଚାଲାଣ ଦାଖଲ କରାଯାଇଥିଲା । ଏଥିପୂର୍ବରୁ ୨୦ ଜୁଲାଇ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ୯.୫୮ ଲକ୍ଷ ଚାଲାଣ ଦାଖଲ କରାଯିବା ସହିତ ୫୭ ହଜାର ୮୪୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଜିଏସଟିଏନ ଦ୍ବାରା ପରିଚାଳିତ ଜିଏସଟି ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ସ୍ଥିର ଏବଂ ଏବଂ ବାଧାମୁକ୍ତ ପ୍ରଦର୍ଶନ କରୁଛି । ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହୋଇଛି ।

ଅନ୍ୟପଟେ ଓଡିଶାରେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି ।

Related Articles

Back to top button