ବିଗ୍ ବଜାରକୁ କିଣିବା ଦୌଡ଼ରେ ରିଲାଏନ୍ସ ରିଟେଲ ସମେତ ୪୯ କମ୍ପାନି

ମୁମ୍ବାଇ : ଋଣ ବୋଝରେ ବୁଡ଼ି ରହିଥିବା ଫ୍ୟୁଚର ରିଟେଲ ଲିମିଟେଡ୍ ବିକ୍ରିହେବାକୁ ଯାଉଛି । ସୋମବାର କମ୍ପାନି ପକ୍ଷରୁ କିଣିବା ଦୌଡ଼ରେ ଥିବା ଯୋଗ୍ୟ କମ୍ପାନିମାନଙ୍କ ତାଲିକା ପ୍ରକାଶ କରାଯାଇଛି । ଦୌଡ଼ରେ ରିଲାଏନ୍ସ ରିଟେଲ ସମେତ ୪୯ଟି କମ୍ପାନି ରହିଛନ୍ତି।

ରିଲାଏନ୍ସ ରିଟେଲ ବ୍ୟତୀତ ଏହି ଗ୍ରୁପକୁ କିଣିବା ଦୌଡ଼ରେ ଥିବା ଅନ୍ୟ କମ୍ପାନିମାନେ ହେଲେ ଡବ୍ଲୁଏଚସ୍ମିଥ୍ ଟ୍ରାଭେଲ୍ ଲିମିଟେଡ୍, ଜିନ୍ଦଲ ପାୱାର ଲିମିଟେଡ୍, ଜେସି ଫ୍ଲାୱାର ଆସେଟ୍ ରିକନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍, ଗୋର୍ଡନ୍ ବ୍ରଦର୍ସ, ସାହାରା ଏଣ୍ଟରପ୍ରାଇଜେସ୍ ନେତୃତ୍ବରେ ଗଠିତ ଏକ କନସୋର୍ଟିୟମ୍ । ଏସବୁ କମ୍ପାନି ଫ୍ୟୁଚର ରିଟେଲ୍ କିଣିବା ପାଇଁ ନିଜର ଇଓଆଇ (ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ) ଦାଖଲ କରିଛନ୍ତି । ଇଓଆଇ ଦାଖଲ କରିଥିବା ଅନ୍ୟ କେତେକ କଂପାନି ମଧ୍ୟରେ ସେଞ୍ଚୁରି କପର୍ କର୍ପୋରେସନ୍, ଗ୍ରୀନ୍ଟେକ୍ ୱାର୍ଲ୍ଡୱାଇଡ୍, ହର୍ଷବର୍ଦ୍ଧନ ରେଡ୍ଡୀ ଏବଂ ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ୍ ୟୁନିଭର୍ସାଲ୍ ଆସୋସିଏଟ୍ସ ଅନ୍ତର୍ଭୁକ୍ତ ।

ଫ୍ୟୁଚର ରିଟେଲ ହେଉଛି ଫ୍ୟୁଚର ଗ୍ରୁପର ଏକ ଅଂଶ, ଯାହା ଭାରତର କିଛି ଲୋକପ୍ରିୟ ରିଟେଲ ଚେନ୍ ପରିଚାଳନା କରେ । ବିଗ୍ ବଜାର ଏହାର ଫ୍ଲାଗସିପ୍ ଚେନ୍ । ସେହିପରି ଏହି ଗ୍ରୁପ ଅଧିନରେ ସେଣ୍ଟ୍ରାଲ, ବ୍ରାଣ୍ଡ ଫାକ୍ଟ୍ରି ଆଦି ରିଟେଲ ଚେନ ଅଛନ୍ତି । ଏହି ଗ୍ରୁପ ଅଧିନରେ ମୋଟ ୧୯ଟି କମ୍ପାନି ରହିଛି । ଏହି ଗ୍ରୁପ ଏବେ ଦେବାଳିଆ ହୋଇଯାଇଛି ଓ ଏହା ଉପରେ ବିଭିନ୍ନ ବ୍ୟାଙ୍କ ଏବଂ ଋଣପ୍ରଦାନକାରୀ ସଂସ୍ଥାର ପ୍ରାୟ ୨୧୦୫୭ କୋଟି ଟଙ୍କାର ଋଣ ରହିଛି ।

Related Articles

Back to top button