ସ୍ପାଇସ୍‌ଜେଟ୍‌ ଋଣକୁ ନେଇ ବ୍ୟାଙ୍କ ଚିନ୍ତିତ, ଋଣକୁ ଅତି ବିପଦପୂର୍ଣ୍ଣ ବର୍ଗରେ ସାମିଲ କଲେ

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କଂପାନି ସ୍ପାଇସ୍‌ଜେଟ୍‌କୁ ଋଣ ଦେଇଥିବା ଆଇଡିଏଫ୍‌ସି ଫାଷ୍ଟ୍‌ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ ୟେସ୍‌ ବ୍ୟାଙ୍କ କଂପାନିର ଋଣ ଖାତାକୁ ଅତି ବିପଦପୂର୍ଣ୍ଣ ବର୍ଗରେ ସାମିଲ କରିଛନ୍ତି। ଆଜି ପର୍ଯ୍ୟନ୍ତ କଂପାନି ଏହାର ଋଣ କିସ୍ତି ଠିକ୍‌ଠାକ୍ ପରିଶୋଧ କରୁଛି। କିନ୍ତୁ ଲିଜ୍‌ରେ ଆଣିଥିବା ବିମାନ ପାଇଁ ପେମେଣ୍ଟ୍‌ ଦେଇପାରୁନାହିଁ। କଂପାନିର ରାଜସ୍ବ ପ୍ରବାହ ମଧ୍ୟ ଭଲ ନାହିଁ। ଏହା ଜାଣିବା ପରେ ବ୍ୟାଙ୍କଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ଋଣ ପରିଶୋଧକୁ ନେଇ ବ୍ୟାଙ୍କଗୁଡ଼ିକ ସ୍ପାଇସ୍‌ଜେଟ୍‌ ଠାରୁ ନିର୍ଭର ପ୍ରତିଶ୍ରୁତି ଚାହୁଛନ୍ତି।

ଏହି ଖବର ଉପରେ ପ୍ରତିକ୍ରିୟା ରଖି ସ୍ପାଇସ୍‌ଜେଟ୍‌ର ପ୍ରବକ୍ତା କହିଛନ୍ତି ଯେ କୌଣସି ବ୍ୟାଙ୍କ ଆମ ଋଣକୁ ଅତି ବିପଦପୂର୍ଣ୍ଣ ବର୍ଗରେ ସାମିଲ କରିନାହାନ୍ତି। ଋଣ ଚୁକ୍ତି ଅନୁସାରେ କିସ୍ତି ପରିଶୋଧ କରାଯାଉଛି। କୌଣସି ବ୍ୟାଙ୍କର ଆମକୁ ନେଇ କିଛି ଚିନ୍ତା ଥିବାର ଖବର ଆମ ପାଖରେ ନାହିଁ। ସେମାନେ ମଧ୍ୟ ଆମକୁ କିଛି ଜଣାଇନାହାନ୍ତି ବୋଲି ସେ କହିଛନ୍ତି।

ଗତ କିଛି ମାସ ଧରି ସ୍ପାଇସ୍‌ଜେଟ୍ ସଙ୍କଟ ଦେଇ ଗତି କରୁଛି। ଏହାକୁ ନେଇ ନିୟମିତ ବ୍ୟବଧାନରେ ଖରାପ ଖବର ଆସୁଛି। ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ପରେ କଂପାନିର ୫୦% ବିମାନ ଉଡ଼ାଣ ଉପରେ ଆଠ ସପ୍ତାହ ପାଇଁ ନିୟାମକ ସଂସ୍ଥା ଡିଜିସିଏ କଟକଣା ଲଗାଇଛନ୍ତି। ନୂଆ କଂପାନି ଆକାଶ ଏୟାରର ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ଇନ୍ଧନ ମୂଲ୍ୟରେ ବୃଦ୍ଧି ସ୍ପାଇସ୍‌ଜେଟ୍‌ ପାଇଁ ସ୍ଥିତିକୁ ଆହୁରି ଖରାପ କରିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସ୍ପାଇସ୍‌ଜେଟ୍‌ରେ ଏହାର ଅଧ୍ୟକ୍ଷ ଅଜୟ ସିଂହ ଓ ତାଙ୍କ ପତ୍ନୀଙ୍କ ୫୯ ପ୍ରତିଶତ ଅଂଶଧନ ରହିଛି। କଂପାନି ଚଲାଇବା ଲାଗି ସେମାନେ ୨୬ ପ୍ରତିଶତ ଅଂଶଧନକୁ ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣିଛନ୍ତି। ମୁଖ୍ୟତଃ ତିନିଟି ବ୍ୟାଙ୍କରୁ ସେମାନେ ଋଣ ଆଣିଛନ୍ତି। ଗତ ସପ୍ତାହରେ କଂପାନି ଭାରତୀୟ ବିମାନବନ୍ଦର କର୍ତ୍ତୃକ୍ଷଙ୍କ ୫୦ କୋଟି ଟଙ୍କାର ବକେୟା ପଇଠ କରିଥିଲା। କଂପାନି ପାଇଁ ପାଣ୍ଠି ହାସଲ କରିବା ଲାଗି ୟୁଏଇର ଏକ ସଂସ୍ଥା ସହ ଶ୍ରୀ ସିଂହ କଥାବାର୍ତା କରୁଥିବା ଜଣାପଡ଼ିଛି।

୨୦୧୯ରେ ଅନ୍ୟତମ ଘରୋଇ ବିମାନ କଂପାନି ଜେଟ୍ ଏୟାରୱେଜ୍ ବନ୍ଦ ହୋଇଯିବା ପରେ ସ୍ପାଇସ୍‌ଜେଟ୍ ବିଭିନ୍ନ ସ୍ଥାନକୁ ନିଜ ସେବାର ସମ୍ପ୍ରସାରଣ କରିଥିଲା। ଜେଟ୍‌ର ବିମାନଗୁଡ଼ିକୁ ଆଣି ଏହା ଯାତ୍ରୀ ସେବା ଯୋଗାଇଥିଲା। ମାତ୍ର ବର୍ଷକ ପରେ କୋଭିଡ୍ ମହାମାରୀ ବ୍ୟାପିବା ଯୋଗୁଁ ବିମାନ ଚଳାଚଳ ହଠାତ୍‌ ଠପ୍ ହୋଇଯାଇଥିଲା। ତେଣୁ କଂପାନି ଏବେ ଲିଜ୍‌ ଆଣିବା ବିମାନ ଲାଗି ପେମେଣ୍ଟ୍‌ କରିପାରୁନାହିଁ।

Related Articles

Back to top button