ବିଶ୍ଵ କପ୍ ପ୍ରସାରଣ ରାଜସ୍ଵ ଉପରେ ବିସିସିଆଇ ସହିପାରେ ୯୫୫ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତରେ ଆୟୋଜନ ହେବ ଦିନିକିଆ ବିଶ୍ଵ କପ୍। ଆଇସିସିର ପ୍ରସାରଣ ରାଜସ୍ଵ ଉପରେ ୨୧.୮୪ ପ୍ରତିଶତ କର ଲଗାଇବା ଜିଦରେ ଯଦି କେନ୍ଦ୍ର ସରକାର ଅଟଳ ରୁହନ୍ତି ତେବେ ବିସିସିଆଇକୁ ମୋଟା ଅଙ୍କର କ୍ଷତି ଘଟିପାରେ। କ୍ଷତିର ପରିମାଣ ୧୦, ୨୦ କିମ୍ବା ୫୦ କୋଟି ଟଙ୍କା ନୁହେଁ ବରଂ ୯୫୫ କୋଟି ଟଙ୍କା। ଆଉ ଏହି ରାଶିର ଭରଣା କରିବ ବିସିସିଆଇ। ଭାରତରେ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ।

ଆଇସିସିର ନିୟମ ଅନୁଯାୟୀ, ଆୟୋଜକ ଦେଶକୁ ସରକାରଙ୍କଠୁ ବିଶ୍ଵ କପ୍ ପରି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଟିକସରେ ରିହାତି ଦିଆଯାଏ। ମାତ୍ର ଭାରତର ଟିକସ୍ ନିୟମରେ ଏହି ଧରଣର ରିହାତି ପ୍ରାବଧାନ ନାହିଁ। ୨୦୧୬ ଟି-୨୦ ବିଶ୍ଵ କପ୍‌ ଆୟୋଜନରେ ବି ବିସିସିଆଇକୁ ଟିକସରେ କୌଣସି ରିହାତି ମିଳିନଥିଲା। ଫଳରେ ବିଶ୍ଵର ସବୁଠୁ ଧନଶାଳୀ କ୍ରିକେଟ୍ ବୋର୍ଡକୁ ୧୯୩ କୋଟି ଟଙ୍କାର କ୍ଷତି ଘଟିଥିଲା। ମାମଲା ବର୍ତ୍ତମାନ ଆଇସିସି ଟ୍ରାଇବ୍ୟୁନାଲରେ ବିଚାରଧୀନ ରହିଛି।

ତେବେ ଅସନ୍ତାବର୍ଷର ଆୟୋଜନ ନେଇ ବିସିସିଆଇ ଟିକସକୁ ୨୧.୮୪ ପ୍ରତିଶତରୁ ହ୍ରାସ କରି ୧୦.୯୨ ପ୍ରତିଶତ ରଖିବା ପାଇଁ ସରକାରଙ୍କ ସହ ଆଲୋଚନା ଚଳାଇଛି। ଯଦି ଏମିତି ହୁଏ ତେବେ ବିସିସିଆଇର ରାଜସ୍ଵ ହ୍ରାସର ପରିମାଣ କମି ୪୩୦ କୋଟି ଟଙ୍କା ରହିବ। ଆଇସିସିର ୨୦୧୬ରୁ ୨୦୨୩ ମଧ୍ୟରେ ରାଜସ୍ଵ ବର୍ଗରେ ବିସିସିଆଇର ଅଂଶ ପ୍ରାୟ ୩୩୩୬ କୋଟି ଟଙ୍କା ରହିଛି। ଆଇସିସିକୁ ଭାରତରେ ୨୦୨୩ରେ ହେବାକୁ ଥିବା ବିଶ୍ଵ କପ୍‌ର ପ୍ରସାରଣରୁ ୪୪୦୦ କୋଟି ଟଙ୍କାର ରାଜସ୍ଵ ମିଳିବ ବୋଲି ଆଶା ରହିଛି।

Related Articles

Back to top button