ଭୁବନେଶ୍ୱର ବିମାନବନ୍ଦରରେ ସହୀଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର: ରାଜ୍ୟପାଳ ଦେଲେ ଶ୍ରଦ୍ଧା ସୁମନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ବୀର ଯବାନ ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଛି ଗାର୍ଡ ଅଫ ଅନର। ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସେଠାରେ ପହଞ୍ଚି ଓଡିଆ ମାଟିର ଗୌରବ ସହୀଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଛନ୍ତି । ପୁଷ୍ପମାଲ୍ୟ ପ୍ରଦାନ ସହ ଭାରତର ବୀର ସୁପୁତ୍ରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳଙ୍କ ସମେତ ବିମାନବନ୍ଦରରେ ବୀର ସହିଦଙ୍କ ଧର୍ମପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ଐହା ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହିତ ଅନେକ ରାଜନେତା ବୀର ଯବାନଙ୍କୁ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏଠାରେ ଗାର୍ଡ ଅଫ ଅନର ଦିଆଯିବା ପରେ ପାର୍ଥିବ ଶରୀରକୁ ଦେବାଶିଷଙ୍କ ଗାଁକୁ ନିଆଯିବ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହିକୁ ଯିବ ସହୀଦ ବୀର ଦେବାଶିଷଙ୍କ ପାର୍ଥିବ ଶରୀର । ଏହାପରେ ଆଜି ନିଜ ଗାଁ ଶ୍ମଶାନରେ ଓଡିଶାର ସହୀଦ ଦେବାଶିଷ ବିଶ୍ୱାଳଙ୍କୁ ଦିଆଯିବ ଅନ୍ତିମ ବିଦାୟ ।

ସୁଚନା ଯୋଗ୍ୟ, ଜମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିଲେ ଭାରତ ମାଟିର ସୁଯୋଗ୍ୟ ସନ୍ତାନ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ । ଏହାପରେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବାର ଥିଲା ତାଙ୍କର ପାର୍ଥିବ ଶରୀର । କିନ୍ତୁ ବିମାନ ଚଳାଚଳରେ ତ୍ରୁଟି ଦେଖାଯିବା କାରଣରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ଶରୀର ପହଞ୍ଚିଛି । ତେବେ ବିମାନବନ୍ଦରରେ ସହୀଦଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଏବେ ଗାଁ ଅଭିମୁଖେ ନିଆଯାଉଛି ଦେବାଶିଷଙ୍କ ପାର୍ଥିବ ଶରୀର ।

Related Articles

Back to top button