
ଇ-କମର୍ସ କମ୍ପାନୀ ଫେକ୍ ରିଭ୍ୟୁ ଦେଖାଇଲେ ଲାଗିପାରେ ୧୦ ଲକ୍ଷ ଜରିମାନା: ଗାଇଡଲାଇନ ଜାରି କଲେ ସରକାର
ନୂଆଦିଲ୍ଲୀ: ଫେକ୍ ରିଭ୍ୟୁ ଦେଖାଇବା ଇ-କମର୍ସ କମ୍ପାନୀଙ୍କୁ ଭାରି ପଡ଼ିପାରେ। ମିଥ୍ୟା ରିଭ୍ୟୁ ଦେଖାଇଲେ ଲାଗିପାରେ ୧୦ ଲକ୍ଷ ଜରିମାନା। କାରଣ ଫେକ୍ ରିଭ୍ୟୁ ଏବଂ ପେଡ୍ ରିଭ୍ୟୁ ଉପରେ ରୋକ୍ ଲଗାଇବା ପାଇଁ ମୋଦି ସରକାର ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ୍ସ ଅନୁଯାୟୀ, କମ୍ପାନୀ ଫେକ୍ ରିଭ୍ୟୁ ଦେଖାଇବାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇପାରେ। ଇ-କମର୍ସ କମ୍ପାନୀଙ୍କ ପାଇଁ ଏହି ନୂଆ ଗାଇଡଲାଇନ୍ସ ୨୫ ନଭେମ୍ବର ଲାଗୁ ହେବ। ଏହି ନୂଆ ନିୟମର ଉଦ୍ଦେଶ୍ୟ ମିଥ୍ୟା ଏବଂ ପେଡ୍ ରିଭ୍ୟୁ ଉପରେ ନିୟନ୍ତ୍ରଣ ରଖିବା। ନିୟମ ଲାଗୁ ହେବା ପରେ ଇ-କମର୍ସ କମ୍ପାନୀ ଏବେ ଫେକ୍ ଏବଂ ପେଡ୍ ରିଭ୍ୟୁ କରିପାରିବେନି।
ସରକାରଙ୍କ ଦ୍ବାରା ଜାରି ନିୟମ ଅନୁଯାୟୀ, ଏବେ ପେଡ୍ ରିଭ୍ୟୁକୁ ଭିନ୍ନ ଭିନ୍ନ ମାର୍କ କରାଯିବ। ଏଥିରେ ଗ୍ରାହକମାନେ ଉପକୃତ ହେବ। ଉପଭୋକ୍ତା ରିଭ୍ୟୁ ଆଧାରରେ ଗ୍ରାହକଙ୍କ ଉଚିତ୍ ଉତ୍ପାଦ କିଣିପାରିବେ। ଇ-କମର୍ସ କମ୍ପାନୀ ଗାଇଡଲାଇନ ଲାଗୁ କରିବାକୁ ନେଇ ସହମତି ପ୍ରକାଶ କରିଛନ୍ତି। ଖୁବଶୀଘ୍ର ନିୟମ ବାଧ୍ୟତାମୂଳକ କରାଯିବ। ଗାଇଡଲାଇନ ଅନୁଯାୟୀ, ଯଦି କମ୍ପାନୀ ମାନୁନାହାନ୍ତି ତେବେ କମ୍ପାନୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏହି କାର୍ଯ୍ୟାନୁଷ୍ଠାନ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ହେବ। ଆଉ ଯଦି ନିୟମ ଭାଙ୍ଗୁଛନ୍ତି ତେବେ କମ୍ପାନୀଙ୍କ ଉପରେ ୧୦ ଲକ୍ଷ ପର୍ଯ୍ୟନ୍ତ ଫାଇନ୍ ଲଗାଯାଇପାରିବ।
ସୂଚନାଥାଉ, ଏଭଳି ମିଥ୍ୟା ରିଭ୍ୟୁ କାରଣରୁ ଗ୍ରାହକଙ୍କୁ ପ୍ରଭାବିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗ୍ରାହକଙ୍କ ରିଭ୍ୟୁ ଉପରେ ଭରଷା କରି ଭୁଲ୍ ଉତ୍ପାଦ କିଣି କ୍ଷତି ସହିବାକୁ ପଡ଼ିଛି। ନୂଆ ଗାଇଡଲାଇନ ସହ ଗ୍ରାହକମାନେ ଏଭଳି ଫେକ୍ ରିଭ୍ୟୁରୁ ବର୍ତ୍ତିପାରିବେ। ଏହି ଗାଇଡଲାଇନର ଉଦ୍ଦେଶ୍ୟ ଉପଭୋକ୍ତାଙ୍କ ହିତର ରକ୍ଷା କରିବା ଏବଂ କୌଣସି ଉତ୍ପାଦର ଉଚିତ୍ ତଥ୍ୟ ସାମ୍ନାକୁ ଆଣିବା। ଫଳରେ ସେମାନେ ଉତ୍ପାଦ କିଣିବାକୁ ନେଇ ଉଚିତ୍ ନିଷ୍ପତ୍ତି ନେଇପାରିବେ।