ସାରା ଦେଶରେ ୨୪୯ଟି ସାଇଲୋ ନିର୍ମାଣ କରିବ ଏଫସିଆଇ

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୯ ହଜାର ୨୩୬ କୋଟି ଟଙ୍କା ନିବେଶରେ ଦେଶର ୧୨ ରାଜ୍ୟର ୨୪୯ଟି ସ୍ଥାନରେ ଷ୍ଟିଲ ନିର୍ମିତ ଆଧୁନିକ ସାଇଲୋ ନିର୍ମାଣ ଲାଗି ଯୋଜନା କରିଛନ୍ତି। ପବ୍ଲିକ୍ ପ୍ରାଇଭେଟ୍‌  ପାର୍ଟନରସିପ୍(ପିପିପି)ରେ ହବ୍ ଏଣ୍ଡ ସ୍ପୋକ୍ ମଡେଲରେ ଏହି ସାଇଲୋଗୁଡିକ ନିର୍ମିତ ହେବ। ଏ ଗୁଡିକର ମୋଟ ଷ୍ଟୋରେଜ୍ କ୍ଷମତା ୧୧୧.୧୨୫ ଲକ୍ଷ ମେଟ୍ରିକ ଟନ୍‌ ରହିବ।

ଏହି ସାଇଲୋଗୁଡିକର ନିର୍ମାଣ ଖେତ ପାଖଆଖରେ କରାଯିବ, ଯେପରି ସାଇଲୋ ପର୍ଯ୍ୟନ୍ତ ଫସଲ ପହଞ୍ଚାଇବାକୁ ଚାଷୀଙ୍କୁ ସମସ୍ୟା ଓ ସମୟ କମ ପଡିବ। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ଯେ ଏହି ସାଇଲୋଗୁଡିକର ନିର୍ମାଣ ଆଗାମୀ ୩-୪ ବର୍ଷରେ ୩ ପର୍ଯ୍ୟାୟରେ ହେବ। ହବ୍ ଏଣ୍ଡ ସ୍ପୋକ୍‌ ମଡେଲର ପ୍ରଥମ ପର୍ଯ୍ୟାୟରେ ଏଫସିଆଇ ଦ୍ୱାରା ୮୦ଟି ସ୍ଥାନରେ ୩୪.୮୭୫ ଏଲଏମଟି କ୍ଷମତାର ସାଇଲୋର ନିର୍ମାଣ କରାଯିବ।

ଏଥିରୁ ୧୪ଟି ସ୍ଥାନରେ ୧୦.୧୨୫ଏଲଏମଟି ସାଇଲୋର ନିର୍ମାଣ ଡିଜାଇନ, ବିଲ୍ଡ, ଫଣ୍ଡ ଓନ ଏଣ୍ଡ ଟ୍ରାନ୍ସଫର (ଡିବିଏଫଓଟି)ମୋଡରେ କରାଯିବ। ସେହିପରି ମୋଟ ୨୪.୭୫ଏଲଏମଟି କ୍ଷମତାର ୬୬ଟି ସାଇଲୋର ନିର୍ମାଣ ଡିବିଏଫଓଟି ମୋଟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦେଶର ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ସାଇଲୋର ନିର୍ମାଣ ହେବ। ଏଥିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ବିହାର,ପଶ୍ଚିମବଙ୍ଗ ଓ ଜମ୍ମୁ-କାଶ୍ମୀରରେ ନିର୍ମାଣ କରାଯିବ। ଏହି ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର, ନୀତି ଆୟୋଗ, ଅର୍ଥମନ୍ତ୍ରାଳୟ,ରେଳ ମନ୍ତ୍ରାଳୟ ଓ ଇସ୍ପାତ ମନ୍ତ୍ରାଳୟ ପରାମର୍ଶ ପରେ ହାତକୁ ନିଆଯାଇଛି।

Related Articles

Back to top button