ହ୍ରାସ ହେଉଛି ବୈଦେଶିକ ମୁଦ୍ରାଭଣ୍ଡାର

ମୁମ୍ବାଇ :  ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରକୁ ପହଞ୍ଚିଛି। ଟଙ୍କାର ମୂଲ୍ୟ ହ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ବାରମ୍ବାର ହସ୍ତକ୍ଷେପ ଯୋଗୁ ଏପରି ପରିସ୍ଥିତି ଉପୁଜିଛି। ଆରବିଆଇଙ୍କ ଅନୁସାରେ ଏହା ପୂର୍ବରୁ ୮ ଜୁଲାଇରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୮.୦୬୨ ବିଲିୟନ ଡଲାର ଖସି ୫୮୦.୨୫୨ ବିଲିୟନ ଡଲାରକୁ ପହଞ୍ଚିଥିଲା।

ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୫ ପଇସା ହ୍ରାସ ସହ ପ୍ରତି ଡଲାର ଟଙ୍କା ମୂଲ୍ୟ ୭୯.୯୦ରେ ବନ୍ଦ ହୋଇଥିଲା। ତେବେ ୮ ଜୁଲାଇରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରରେ ଦେଖା ଯାଇଥିବା ହ୍ରାସ ବୈଦେଶିକ ମୁଦ୍ରାର ପରିସମ୍ପତ୍ତି ହ୍ରାସ ଯୋଗୁ ହୋଇଥିଲା। ଏହା ଛଡା ସଂରକ୍ଷିତ ସ୍ୱର୍ଣ୍ଣ ଭଣ୍ଡାରରେ ହ୍ରାସ ମଧ୍ୟ ବୈଦେଶିକ ମୁଦ୍ରା ପାଣ୍ଠିର ହ୍ରାସର କାରଣ ପାଲଟିଛି। ଆରବିଆଇ ଶୁକ୍ରବାର ଜାରି କରିଥିବା ସାପ୍ତାହିକ ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ବୈଦେଶିକ ମୁଦ୍ରା ପରିସମ୍ପତ୍ତି ( ଏଫସିଏ) ୬.୫୨୭ ବିଲିୟନ ଡଲାର ହ୍ରାସ ହୋଇ ୫୧୧.୫୬୨ ବିଲିୟନ ଡଲାରକୁ ପହଞ୍ଚିଥିଲା।

ଡଲାର ଅଭିବ୍ୟକ୍ତିରେ ବୈଦେଶିକ ମୁଦ୍ରାଭଣ୍ଡାରରେ ରଖାଯାଇଥିବା ପରିସମ୍ପତ୍ତି ଯେପରିକି ୟୁରୋ, ପାଉଣ୍ଡ ଓ ୟୈନ ଭଳି ଅଣ ଆମେରିକୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ଅଥବା ହ୍ରାସ ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଇଛି। ସେହିପରି ଆଲୋଚ୍ୟ ସପ୍ତାହରେ ସ୍ୱର୍ଣ୍ଣ ଭଣ୍ଡାରର ମୂଲ୍ୟ ମଧ୍ୟ ୮୩ କୋଟି ଡଲାର ହ୍ରାସ ହୋଇ ୩୮.୩୫୬ ବିଲିୟନ ଡଲାରକୁ ପହଞ୍ଚିଛି। ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ରେ ଜମା ବିଶେଷ ଆହରଣ ଅଧିକାର (ଏସଡିଆର) ୧୫.୫ କୋଟି ଡଲାର ହ୍ରାସ ହୋଇ ୧୭.୮୫୭ ବିଲିୟନ ଡଲାରକୁ ପହଞ୍ଚିଛି। ଆଇଏମଏଫରେ ଗଚ୍ଛିତ ଦେଶର ମୁଦ୍ରାଭଣ୍ଡାର ମଧ୍ୟ ୨.୯ କୋଟି ଡଲାର ହ୍ରାସ ହୋଇ ୪.୯୩୭ ବିଲିୟନ ଡଲାରକୁ ପହଞ୍ଚିଛି।

Related Articles

Back to top button