ଖୋଲା ବଜାରରେ ଅଶୋଧିତ ତୈଳ ବିକ୍ରିକୁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଘରୋଇ ଅଶୋଧିତ ତୈଳ କ୍ଷେତ୍ରକୁ ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ମାମଲାର କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏବେ ଦେଶରେ ଅଶୋଧିତ ତୈଳ ଉତ୍ପାଦନକାରୀ କମ୍ପାନୀ ନିଜ ଇଚ୍ଛାରେ ଖୋଲା ବଜାରରେ କାହାକୁ ବି ଅଶୋଧିତ ତୈଳ ବିକ୍ରି କରି ପାରିବେ।

ସରକାରଙ୍କ ଏହି ନିଷ୍ପତ୍ତିରେ ଓଏନଜିସି, ଓଏଲ ଇଣ୍ଡିଆ ଏବଂ ଘରୋଇ ତୈଳ ଉତ୍ପାଦନକାରୀ କମ୍ପାନୀକୁ ବହୁତ ଫାଇଦା ମିଳିବ। ନୂତନ ନୀତି ଅକ୍ଟୋବର ୧ରୁ ଲାଗୁ ହେବ। ସଂପ୍ରତି ତୈଳ ଉତ୍ପାଦନକାରୀ କମ୍ପାନୀ ସରକାରଙ୍କ ଦ୍ଵାରା ଆବଣ୍ଟନ ଆଧାରରେ ତେଲ ବିକ୍ରି କରୁଛନ୍ତି।

ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ନୂତନ ବ୍ୟବସ୍ଥା ଲାଗୁ ହେଲେ ଦେଶରେ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ଘଟିବ। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ। ଏହି ନିଷ୍ପତ୍ତିରେ ଆମଦାନୀ ଉପରୁ ନିର୍ଭରତା କିଛିଟା ହ୍ରାସ ଘଟିବ। ଘରୋଇ ଏବଂ ବିଦେଶୀ କମ୍ପାନୀ ଏଠାରେ ତୈଳ ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରିବେ।

ସରକାରଙ୍କ ଏହି ନିଷ୍ପତ୍ତି ପ୍ରଭାବରେ ଓଏନଜିସି ଏବଂ ଓଏଲ ଇଣ୍ଡିଆର ସେୟାରର ମୂଲ୍ୟରେ ବୁଧବାର ବୃଦ୍ଧି ଦେଖିବାକୁ ମିଳିଛି। ଓଏନଜିସିର ପ୍ରତିଟି ସେୟାରର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ଘଟି ୧୫୩ ଟଙ୍କାରେ ପହଞ୍ଚିଛି। ଓଏଲ ଇଣ୍ଡିଆର ସେୟାର ୪.୫୦ ଟଙ୍କା ବଢିଛି। ବିଶେଷଜ୍ଞଙ୍କ ମତରେ ଏହି ନିଷ୍ପତ୍ତିରେ ଦୁଇ  କମ୍ପାନୀକୁ ବହୁତ ଲାଭ ମିଳିବ।

Related Articles

Back to top button