
ସରକାରୀ ତୈଳ କମ୍ପାନୀଙ୍କୁ ଏଲପିଜି ଗ୍ୟାସ୍ କ୍ଷତିଭରଣା ପାଇଁ ୨୨ ହଜାର କୋଟି ଟଙ୍କା ଦେବେ ଭାରତ ସରକାର
ନୂଆଦିଲ୍ଲୀ: ଗତ ୨ ବର୍ଷ ହେଲା କମ୍ ମୂଲ୍ୟରେ ରୋଷେଇ ଗ୍ୟାସ୍ ବିକ୍ରି ଯୋଗୁ ସରକାରୀ ମାଲିକାନାଧୀନ ୩ ତୈଳ କମ୍ପାନୀଙ୍କ ହୋଇଥିବା କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର ଏକକାଳୀନ ୨୨ ହଜାର ଟଙ୍କା ଅନୁଦାନ ଦେବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ସମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୩ଟି ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ)ଙ୍କୁ ଏକକାଳୀନ ଅନୁଦାନ ଲାଗି ଏହି ମଞ୍ଜୁରୀ ମିଳିଛି ବୋଲି ଠାକୁର କହିଛନ୍ତି। ଏହି ସଂସ୍ଥାମାନେ ଘରୋଇ ଏଲପିଜି ଗ୍ୟାସ୍ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିଥାନ୍ତି। ଜୁନ୍ ୨୦୨୦ରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ ମୂଲ୍ୟରୁ କମ୍ ଦରରେ ଗ୍ୟାସ୍ ବିକିବା ଯୋଗୁ କମ୍ପାନୀଙ୍କର ହୋଇଥିବା କ୍ଷତି ଏହି ମଞ୍ଜୁରୀରେ ଭରଣା ହେବ।
ଜୁନ୍ ୨୦୨୦ରୁ ଜୁନ ୨୦୨୨ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଘରୋଇ ରୋଷେଇ ଗ୍ୟାସ ମୂଲ୍ୟରେ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଅନ୍ତର୍ଜାତୀୟ ବଜାରରେ ଦେଖା ଦେଇଥିବା ଅସ୍ଥିରତାର ପ୍ରଭାବରୁ ଗ୍ରାହକଙ୍କୁ ମୁକ୍ତ ରଖିବା ଲାଗି ଗ୍ରାହକଙ୍କ ଉପରେ ମୂଲ୍ୟ ବୃଦ୍ଧିକୁ ସମ୍ପୂର୍ଣ୍ଣ ଲଦି ଦିଆଯାଇନଥିଲା ବୋଲି ଏକ ଅଧିକାରୀକ ବୟାନରେ କୁହାଯାଇଛି। ତେବେ ଏହି ଅବଧିରେ ଘରୋଇ ଗ୍ୟାସ୍ ମୂଲ୍ୟରେ ୭୨ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି, ଯେଉଁଥି ପାଇଁ ସରକାରୀ ଆୟତ୍ତାଧିନ ତୈଳ କମ୍ପାନୀଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି।
କ୍ଷତି ସତ୍ତ୍ୱେ ୩ ସାର୍ବଜନିକ ତୈଳ ବିପଣନ କମ୍ପାନୀ ଦେଶରେ ଅତ୍ୟାବଶକୀୟ ରୋଷେଇ ଗ୍ୟାସର ଯୋଗାଣ ନିରନ୍ତର ରଖିଥିଲେ। ଏଣୁ ସରକାର ସାର୍ବଜନିକ ତୈଳ ବିପଣନକାରୀ କମ୍ପାନୀଙ୍କୁ ଘରୋଇ ଗ୍ୟାସ୍ରେ ହୋଇଥିବା କ୍ଷତିର ଏକକାଳୀନ ଭରଣା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ସାର୍ବଜନିକ ତୈଳ ବିପଣନକାରୀ କମ୍ପାନୀଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନ ଲାଗି ସେମାନଙ୍କର ପ୍ରତିଶ୍ରୁତି ଜାରି ରଖିବାରେ ସହାୟତା କରିବ । ଏହା ଦ୍ୱାରା ଘରୋଇ ଏଲପିଜିର ନିର୍ବାଧ ଯୋଗାଣ ମଧ୍ୟ ସୁନିଶ୍ଚିତ ହେବା ସହ ମେକ-ଇନ-ଇଣ୍ଡିଆ ଉତ୍ପାଦ କ୍ରୟରେ ମଧ୍ୟ ସହାୟତା କରିବ ।