
ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ହେଲେ ବିଶ୍ୱ ବ୍ୟାଙ୍କର ନୂଆ ସଭାପତି
ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମନୋନୀତ କରିଥିଲେ। ବିଶ୍ୱ ବ୍ୟାଙ୍କର ୨୫ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡ ବୁଧବାର ଦିନ ଅଜୟ ବଙ୍ଗାଙ୍କୁ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ସଭାପତି ଭାବେ ମନୋନୀତ କରିଛି। ଜୁନ୍ ୨ରୁ ସେ ଏହି କାର୍ଯ୍ୟଭାର ସମ୍ଭାଳିବେ। ଅଜୟ ବଙ୍ଗା ଭାରତୀୟ-ଆମେରିକୀୟ ଏବଂ ଆମେରିକୀୟ ଶିଖ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବରେ ବିଶ୍ୱ ବ୍ୟାଙ୍କର ମୁଖ୍ୟ ହେବେ।
ଅଜୟ ବାଙ୍ଗା ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ସଭାପତି ଡେଭିଡ ମଲପାସଙ୍କ ସ୍ଥାନ ନେବେ । ଫେବୃଆରୀ ମାସରେ ରାଷ୍ଟ୍ରପତି ଅଜୟ ବାଙ୍ଗାଙ୍କ ନାମକୁ ବିଶ୍ୱବ୍ୟାଙ୍କ ସଭାପତି ପାଇଁ ମନୋନିତ କରିଥିଲେ । ବଇଡେନ କହିଥିଲେ କି ଅଜୟ ବାଙ୍ଗା ଏହି ବିଶ୍ୱ ସଂସ୍ଥାର ନେତୃତ୍ୱ ନେବାକୁ ଉପଯୁକ୍ତ ବ୍ୟକ୍ତି ଅଟନ୍ତି । ଅଜୟ ବାଙ୍ଗାଙ୍କ ଜନ୍ମ ଭାରତରେ ହୋଇଥିଲା । ୨୦୦୭ରେ ସେ ଆମେରିକାର ନାଗରିକତ୍ୱ ପାଇଥିଲେ। ବାଙ୍ଗା, ଅହମ୍ମଦାବାଦର ଆଇଆଇଏମରୁ ଏମବିଏ ଡିଗ୍ରୀ ହାସଲ କରିବା ପୂର୍ବରୁ ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ। ସେ ଭାରତରେ ନେଷ୍ଟଲେଙ୍କ ସହ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ସିଟିଗ୍ରୁପ୍ ସହିତ କାମ କରିଥିଲେ। ୨୦୧୬ ରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।