୫ଟି କୋପରେଟିଭ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ, ଟଙ୍କା ଉଠାଇପାରିବେ ନାହିଁ ଜମାକାରୀ

ନୂଆଦିଲ୍ଲୀ: ଆର୍ଥିକ ଅବସ୍ଥା ବିଗିଡିଯାଇଥିବା ୫ଟି କୋପରେଟିଭ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ମଧ୍ୟରେ ଟଙ୍କା ଉଠାଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଏହି ବ୍ୟାଙ୍କଗୁଡିକ ଉପରେ ପ୍ରତିବନ୍ଧକ ୬ ମାସ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ବ୍ୟାଙ୍କଗୁଡିକ ଆରବିଆଇର ବିନା ଅନୁମତିରେ କାହାକୁ ଋଣ ଦେଇପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରତିବନ୍ଧକ ବାବଦରେ ସମୀକ୍ଷା ଚାଲିଛି। ଅର୍ଥାତ ବ୍ୟାଙ୍କଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିବା ପରେ ହିଁ ଏହି ପ୍ରତିବନ୍ଧକକୁ ହଟାଇବା କିମ୍ବା ବୃଦ୍ଧି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେବ। ଯଦି ଆରବିଆଇ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଦେଖେ, ତେବେ ଏହି ପ୍ରତିବନ୍ଧକ ହଟାଯିବ। ଆରବିଆଇ ସ୍ପଷ୍ଟ କରିଛି ଯେ ଏହି ବ୍ୟାଙ୍କଗୁଡିକର ଲାଇସେନ୍ସ ରଦ୍ଦ କରାଯାଇ ନାହିଁ।

ଆରବିଆଇ ଦ୍ୱାରା ନିଷିଦ୍ଧ ହୋଇଥିବା ପାଞ୍ଚଟି ବ୍ୟାଙ୍କ ମଧ୍ୟରେ ଏଚସିବିଏଲ ସହକାରୀ ବ୍ୟାଙ୍କ ଲକ୍ଷ୍ନୌ (ଉତ୍ତରପ୍ରଦେଶ), ଆଦର୍ଶ ମହିଲା ନଗରୀ ସହକାରୀ ବ୍ୟାଙ୍କ ଔରଙ୍ଗାବାଦ (ମହାରାଷ୍ଟ୍ର), ଶିମସା ସହକାରୀ ବ୍ୟାଙ୍କ ମଦୁର(କର୍ଣ୍ଣାଟକ), ଉରାଉକୋଣ୍ଡା ସମବାୟ ଟାଉନ୍ ବ୍ୟାଙ୍କ, (ଆନ୍ଧ୍ରପ୍ରଦେଶ) ଏବଂ ଶଙ୍କରରାଓ ମୋହିତେ ପାଟିଲ ସହକାରୀ ବ୍ୟାଙ୍କ, ଅକ୍ଲୁଜ (ମହାରାଷ୍ଟ୍ର) ପ୍ରମୁଖ ରହିଛି | ନିର୍ଦ୍ଦେଶନାମା ମୁତାବକ ଏଚସିବିଏଲ ସହକାରୀ ବ୍ୟାଙ୍କ ଲକ୍ଷ୍ନୌ (ଉତ୍ତରପ୍ରଦେଶ), ଆଦର୍ଶ ମହିଲା ନଗରୀ ସହକାରୀ ବ୍ୟାଙ୍କ ଔରଙ୍ଗାବାଦ (ମହାରାଷ୍ଟ୍ର), ଶିମସା ସହକାରୀ ବ୍ୟାଙ୍କ ମଦୁର(କର୍ଣ୍ଣାଟକ)ର ଗ୍ରାହକ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ। ଉରାଉକୋଣ୍ଡା ସମବାୟ ଟାଉନ୍ ବ୍ୟାଙ୍କ ଏବଂ ଶଙ୍କରରାଓ ମୋହିତେ ପାଟିଲ ସହକାରୀ ବ୍ୟାଙ୍କ ଗ୍ରାହକମାନେ ବର୍ତ୍ତମାନ ସେମାନଙ୍କ ବ୍ୟାଙ୍କ ଜମାରୁ ମାତ୍ର ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ।

Related Articles

Back to top button