ବୌଦ୍ଧ ଜିଲ୍ଲାରେ ମହାନଦୀ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି

ବୌଦ୍ଧବୌଦ୍ଧ ଜିଲ୍ଲା ହରଭଙ୍ଗାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲା ମହାନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ ଜଳସ୍ତର ସତର୍କ ସଂକେତ ୮୬.୮୦ ଓ ବିପଦ ସଂକେତ ୮୭.୮୦ ରହିଥିବା ବେଳେ ଏହାକୁ ଅତିକ୍ରମ କରି ବର୍ତ୍ତମାନ ଜଳସ୍ତର ୮୮.୫୦ ମିଟର ହୋଇଛି । ଫଳରେ ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ଅତି ଜଟିଳ ହେବା ସହ ବିପଦ ମୁହାଁ ହୋଇଛି ।

ଜଗନ୍ନାଥ ସଡ଼କର କୃଷ୍ଣମୋହନପୁର ସେତୁ, ସାମ୍ପଚ ସେତୁ, ସାକୁସିଙ୍ଗା, ଉଁଆଲ ଆଦି ସ୍ଥାନର ସେତୁ ଉପରେ ୧୦ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା-ବୌଦ୍ଧ ଲଗାତାର ଭାବେ ଦୁଇ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହରଭଙ୍ଗା ବ୍ଲକର ତେନ୍ତୁଳିପଦର ଗାଁକୁ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗ୍ରାମବାସୀଙ୍କ ଘର ଚାରିପଟେ ପାଣି ରହିଥିବା ବେଳେ ନଦୀକୂଳିଆ ୧୦ଟି ଗ୍ରାମ ବନ୍ୟାପାଣି ଘେରରେ ରହିଥିବା ଜଣାପଡିଛି ତେବେ ୪୦ରୁ ଉର୍ଦ୍ଧ୍ବ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି ହଜାର ହଜାର ହେକ୍ଟର ଚାଷ ଜମି ଉପରେ ବନ୍ୟାପାଣି ପସି ଫସଲ ନଷ୍ଟ ହୋଇଛି ।

ଅନ୍ୟପଟେ ପ୍ରଶାସନ ତରଫରୁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି । ସେପଟେ ବୌଦ୍ଧ ସହରରେ ମଧ୍ୟ ସ୍ଥିତି ବେହାଲ ହେବାରେ ଲାଗିଛି । ସହରରେ ଇରିଗେସନ କଲୋନୀ, ମାଳିସାହି, ରେଭେନ୍ୟୁ କଲୋନୀ ତଥା ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ ସୂଚନା ଦେବା ସହିତ କିଛି କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦେଉଥିବା ଜଣାପଡିଛି ।

Related Articles

Back to top button