
ଆଗାମୀ ୧୦ଦିନ ମଧ୍ୟରେ ହ୍ରାସ ପାଇବ ଅଟା ଦର
ନୂଆଦିଲ୍ଲୀ : ଜାନୁଆରି ମାସରେ ପନିପରିବା ଦାମ୍ ୧୧.୭୦ ପ୍ରତିଶତ ବଢ଼ିଥିବା ବେଳେ ଇନ୍ଧନ ଓ ଆଲୋକ ପ୍ରଦାନକାରୀ ସାମଗ୍ରୀ ଦାମ୍ରେ ସାମାନ୍ୟ ହ୍ରାସ ଘଟିଛି। ଏହି କ୍ରମରେ ଅଟା ଦର ମଧ୍ୟ ହ୍ରାସ ପାଇଥିବା କୁହାଯାଉଛି। ଏକବର୍ଷ ହେବ ବୃଦ୍ଧି ପାଉଥିବା ଅଟା ମୂଲ୍ୟ ଗତ ୧୫ଦିନ ମଧ୍ୟରେ ହ୍ରାସ ପାଇଥିବା କୁହାଯାଉଛି।
ବଜାର ସୂତରୁ ପ୍ରକାଶ, ଆଗାମୀ ୧୦ଦିନ ମଧ୍ୟରେ ଅଟା ମୂଲ୍ୟ ଚାରିରୁ ୫ଟଙ୍କା ପ୍ରତିକିଲୋ ପିଛା କମ ହେବ। ଏହି ଦର ହ୍ରାସ ପରେ ବଜାରରେ ଅଟା ମୂଲ୍ୟ କିଲୋ ପିଛା ୨୫ରୁ ୨୬ଟଙ୍କାରେ ମିଳିବ। ୧୫ଦିନ ପୂର୍ବରୁ ଅଟା ମୂଲ୍ୟ ୩୫ରୁ ୩୮ଟଙ୍କା ପ୍ରତି କିଲୋ ପିଛା ବିକ୍ରି ହେଉଥିଲା।
କୃଷି ମନ୍ତ୍ରାଳୟ ଅନୁସାରେ, ଚଳିତବର୍ଷ ଦେଶରେ ୧୧.୨ କୋଟି ମାଟ୍ରିକ ଟନ ଗହମ ଉତ୍ପାଦନ ହୋଇଛି। ଏହି କାରଣରୁ ଏବେ ଅଟା ମୂଲ୍ୟ ହ୍ରାସ ପାଇଛି। ଅଟାର ବୃଦ୍ଧି ପାଉଥିବା ମୂଲ୍ୟକୁ ଆୟତ୍ତ କରିବା ପାଇଁ ସରକାର ୩୦ଲକ୍ଷ ମାଟ୍ରିକ ଟନ ଗହମ ଖୋଲା ମାର୍କେଟରେ ବିକ୍ରି କରିବାକୁ ଘୋଷଣା କରିଛନ୍ତି।