ସେପ୍ଟେମ୍ବର ମାସରେ ୭.୪୧ ପ୍ରତିଶତ ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି, ପୁଣି ବଢିପାରେ ରେପୋ ରେଟ୍

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତିକୁ ରୋକିବାକୁ ଚେଷ୍ଟା କରୁଥିବା କେନ୍ଦ୍ର ସରକାର ଓ ଆର୍‌ବିଆଇ ବାରମ୍ବାର ଫେଲ୍ ମାରୁଛନ୍ତି। ନିୟନ୍ତ୍ରଣରେ ରହିବା ବଦଳରେ ଓଲଟି ଆର୍‌ବିଆଇର ଆକଳନ ଠାରୁ ପାର୍ ହେଇଯାଉଛି ମହଙ୍ଗା ସ୍ଥିତି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ମାସରେ ଭାରତରେ ଗ୍ରାହକ ମୂଲ୍ୟ ସୂଚକାଂକ(ସିପିଆଇ) ମୁଦ୍ରାସ୍ଫୀତି ବଢ଼ି ୭.୪୧ ପ୍ରତିଶତ ବୃଦ୍ଧି ହୋଇଛି। ଯାହା ଆର୍‌ବିଆଇର ଆକଳନ ଠାରୁ ୯ ଥର ଅଧିକ। ସେପ୍ଟେମ୍ବର ୨୦୨୨ରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬୦ ପ୍ରତିଶତ ବଢ଼ିଛି। ଅଗଷ୍ଟ ମାସରେ ଏହା ୭.୬୨ ପ୍ରତିଶତ ଥିଲା।

ଖୁଚୁରା ମୁଦ୍ରାସ୍ଫୀତିର ସଦ୍ୟତମ ରିପୋର୍ଟ ପୁଣିଥରେ ଆର୍‌ବିଆଇ ଉପରେ ସୁଧହାର ବଢ଼ାଇବାକୁ ଚାପ ପକାଇପାରେ। ଏହା ପୂର୍ବରୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ଚାରିଥର ରେପୋରେଟ୍  ୧୯୦ ବେସ୍ ପଏଣ୍ଟରେ ବୃଦ୍ଧି କରିସାରିଛି।  ଇତିମଧ୍ୟରେ ଔଦ୍ୟଗିକ ଉତ୍ପାନ ସୁଚକାଂକ(ଆଇପିଆଇ) କମିବାରେ ଲାଗିଛି। ଅଗଷ୍ଟ ମାସରେ ଆଇପିଆଇ୦.୮ ପ୍ରତିଶତ କମିଥିଲା। ଗତ ବର୍ଷ ଅଗଷ୍ଟ ମାସରେ କିନ୍ତୁ ଆଇପିଆଇ ୧୩ ପ୍ରତିଶତ ବଢ଼ିଥିଲା। ତାଲିକା ଅନୁସାରେ, ଅଗଷ୍ଟ ୨୦୨୨ରେ ମେନ୍ୟୁଫେକ୍ଚରିଂ ସେକ୍ଟରରେ ଉତ୍ପାଦନ ୦୭ ପ୍ରତିଶତ କମିଛି।

ଏହା ବାଦ୍ ଖନନ ଉତ୍ପାଦନରେ ୩.୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ବିଜୁଳି ଉତ୍ପାଦନରେ ୧.୪ ପ୍ରତିଶତ ହ୍ରାସ ପାଇଛି। ସୂଚନା ଥାଉକି ୨୦୨୦ ଏପ୍ରିଲ୍‌ରେ କୋଭିଡ୍ ମହମାରୀ ଯୋଗୁ ଔଦ୍ୟିଗକ ଉତ୍ପାଦନରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଫଳରେ ଏହା ୫୭.୩ ପ୍ରତିଶତ ତଳକୁ ଖସିଆସିଥିଲା।

Related Articles

Back to top button