ଭାରତୀୟ ନାଗରିକ ଇନ୍ଦରମିତ ଗିଲ୍‌ଙ୍କୁ ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିଯୁକ୍ତି ଦେଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ପୁଣି ଜଣେ ଭାରତୀୟଙ୍କ ପ୍ରଭାବ। ଭାରତୀୟ ନାଗରିକ ଇନ୍ଦରମିତ ଗିଲ୍‌ଙ୍କୁ ମୁଖ୍ୟ ଅର୍ଥନୀତିଜ୍ଞ ତଥା ବିକଶିତ ଅର୍ଥନୀତିର ବରିଷ୍ଠ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଲା ବିଶ୍ୱ ବ୍ୟାଙ୍କ। ଆମେରିକା ଅର୍ଥଶାସ୍ତ୍ରୀ କାର୍ମେନ୍‌ ରେନହାର୍ଟଙ୍କ ପରେ ଇନ୍ଦରମିତ ଗିଲ୍‌ଙ୍କୁ ଏହି ସ୍ଥାନରୁ ନିଯୁକ୍ତି ଦିଆଯାଇଛି। ୨୦୨୨ ସେପ୍ଟେମ୍ବର ୧ ତାରିଖରେ ତାଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ଓ ସେ ଦାୟିତ୍ୱ ସମ୍ଭାଳିବେ।

ଗିଲ ବର୍ତ୍ତମାନ ଏକ୍ୟୁଟେବୁଲ ଗ୍ରୋଥ, ଫାଇନାନ୍ସ  ଓ ଇନଷ୍ଟିଟ୍ୟୁସନରେ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁଠାରେ ସେ କ୍ଷୁଦ୍ରଅର୍ଥନୀତି(ମାଇକ୍ରୋ ଇକୋନୋମିକ୍ସ),ଋଣ, ବ୍ୟାପାର, ଦାରିଦ୍ରତା ଏବଂ ଶାସନ ଆଦି କାର୍ଯ୍ୟର ଦାୟିତ୍ୱ ତୁଲାଉଛନ୍ତି। ଇନ୍ଦରମିତ ଗିଲ୍‌ଙ୍କୁ ନିଯୁକ୍ତି ବିଷୟରେ ଘୋଷଣା କରି ସୂଚନା ଦେଇଛନ୍ତି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍ ମାଲପାସ। ଅର୍ଥନୀତିର ବିକାଶରେ ତାଙ୍କର ବୌଦ୍ଧିକ ଯୋଗଦାନ ଯୋଗୁ ବିଶ୍ୱ ଦରବାରରେ ତାଙ୍କର ପରିଚୟ ରହିଛି ବୋଲି ଡେଭିଡ୍ କହିଛନ୍ତି।

ସୂଚନା ଥାଉକି ଗିଲ୍ ଦ୍ୱିତୀୟ ଭାରତୀୟ ଭାବେ ଏହି ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ଏହା ପୂର୍ବରୁ କୌଶିକ ବସୁ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ଦାୟିତ୍ୱ ତୁଲାଇଥିଲେ। ଗିଲ୍‌ଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ତା ଛଡ଼ା ରେନହାର୍ଟଙ୍କ ପଦାଙ୍କ ଅନୁସରଣ କରିବି ବୋଲି ଶ୍ରୀ ଗିଲ୍ କହିଛନ୍ତି।

୨୦୧୬ରୁ ୨୦୨୧ ମଧ୍ୟରେ ଶ୍ରୀଯୁକ୍ତ ଗିଲ୍‌ ଡୁକେ ୟୁନିଭର୍ସିଟିରେ ପବ୍ଲିକ ପିଲିସ ପ୍ରଫେସର ଥିଲେ। ତା ସହ ବିଭିନ୍ନ ଅର୍ଥନୈତିକ ସଂସ୍ଥାର ଦାୟିତ୍ୱରେ ମଧ୍ୟ ରହିସାରିଛନ୍ତି। ଏହା ବ୍ୟାତୀତ ଜର୍ଜ ଟାଉନ୍‌ ୟୁନିଭର୍ସିଟି ଏବଂ ଚିକାଗୋ ୟୁନିଭର୍ସିଟିଟରେ ମଧ୍ୟରେ ସେ ପାଠ ପଢ଼ାଉଛନ୍ତି। ଗିଲ୍ ନୋବେଲ ପୁରସ୍କୃତ ଗ୍ୟାରି ବେକର ଓ ରବର୍ଟ ଇ ଲୁକାସ ଜୁନିୟରଙ୍କ ଠାରୁ ଶିକ୍ଷା ଲାଭ କରିଛନ୍ତି ।

Related Articles

Back to top button