ସ୍କୁଲ ବାର୍ଷିକ କ୍ରୀଡ଼ା ବେଳେ ଜାଭେଲିନ୍‌ ପଶିଗଲା ଛାତ୍ରଙ୍କ ବେକରେ: ଡାକ୍ତରଖାନାରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର : ସ୍କୁଲର ଚାଲିଥିଲା ବାର୍ଷିକ କ୍ରୀଡ଼ା । ଖେଳ ଚାଲିଥିବାବେଳେ ଜାଭେଲିନ୍‌ ପଶିଗଲା ଛାତ୍ରଙ୍କ ବେକରେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ହୃଦୟଥରା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ  । ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ।  ଆଗଲପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢନ୍ତି ସଦାନନ୍ଦ ମେହେର । ସ୍କୁଲ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଚାଲିଥିବାବେଳେ ଆଉ ଜଣେ ଛାତ୍ରଙ୍କ ଜାଭେଲିନ ତାଙ୍କ ବେକରେ ଗଳିଯାଇଥିଲା ।

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜାଭେଲିନର ଉଭୟ ପଟକୁ କାଟି କଢାଯାଇଛି । ଆଉ ତାପରେ ତାଙ୍କର ସିଟି ସ୍କାନ କରାଯାଇଛି । ରିପୋର୍ଟ ଆସବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡାକ୍ତର କହିଛନ୍ତି । କେତେ ଗଭୀର ରହିଛି କ୍ଷତ ଆଉ କେଉଁ ପୋଜିସନରେ ରହିଛି ତାର ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ଆଗକୁ ଚିକିତ୍ସା କରାଯିବ । ସଦାନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ସେପଟେ ଜିଲ୍ଲାପାଳଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସଦାନନ୍ଦଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ଦେଇଛନ୍ତି ।

Related Articles

Back to top button