ଏସ୍‌ବିଆଇ ଋଣ ହେଲା ମହଙ୍ଗା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟ୍‌କା ଦେଇଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)। ବ୍ୟାଙ୍କ ଏହାର ଋଣ ହାର ଅର୍ଥାତ ଏମ୍‌ସିଏଲ୍‌ଆର୍‌କୁ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ହାର ଏକ ବର୍ଷର ଅବଧି ବିଶିଷ୍ଟ ଋଣ ପାଇଁ ବୃଦ୍ଧି କରାଯାଇଛି। ଏମ୍‌ସିଏଲ୍‌ଆର୍‌ ବୃଦ୍ଧି ପରେ ଗୃହ ଋଣ, ଅଟୋ ଋଣ ଅଥବା ବ୍ୟକ୍ତିଗତ ଋଣ ଭଳି ସମସ୍ତ ପ୍ରକାର ଋଣ ମହଙ୍ଗା ହେବ। ତେବେ ଏସ୍‌ବିଆଇ ମାର୍ଜିନାଲ କଷ୍ଟ ଲେଣ୍ଡିଙ୍ଗ ରେଟ୍ସ (ଏମ୍‌ସିଏଲ୍‌ଆର୍‌)ରେ ୧୦% ବୃଦ୍ଧି ଘୋଷଣା କରିଛି। ଏହି ବୃଦ୍ଧି ନେଇ ବିବରଣୀ ବ୍ୟାଙ୍କର ଓ୍ବେବ୍‌ସାଇଟ୍‌ରେ ଅପଡେଟ୍‌ କରାଯାଇଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ୍‌ ବୃଦ୍ଧି ପରେ ଅନ୍ୟ ବ୍ୟାଙ୍କ ପରି ଏସ୍‌ବିଆଇ ଏମ୍‌ସିଏଲ୍‌ଆର୍‌ ବୃଦ୍ଧି କରିଥିଲା। ବ୍ୟାଙ୍କ ୧୫ ଡିସେମ୍ବର ୨୦୨୨ରେ ଋଣ ହାରରେ ବୃଦ୍ଧି ଲାଗୁ କରିଥିଲା। ବର୍ତ୍ତମାନ ଏହାର ଏକମାସ ପରେ ପୁଣିଥରେ ଏସ୍‌ବିଆଇ ଗ୍ରାହକଙ୍କୁ ଝଟ୍‌କା ଦେଇଛି। ତେବେ ଏହି ପରିବର୍ତ୍ତନ ରବିବାର(ଜାନୁୟାରୀ ୧୫)ଠାରୁ ଲାଗୁ ହେବ। ବ୍ୟାଙ୍କର ଏହି ଘୋଷଣା ପରେ ଏକ ବର୍ଷ ଅବଧି ବିଶିଷ୍ଟ ଲୋନରେ ସୁଧ ହାର ୮.୩%ରୁ ବୃଦ୍ଧି ପାଇ ୮.୪% ହୋଇଛି। ଅନ୍ୟ ଅବଧି ବିଶିଷ୍ଟ ଋଣ ଯଥାବିଧି ରହିଛି।

Related Articles

Back to top button