ମଣିପୁରରେ ପୁଣି ହିଂସା, ଘରେ ଲଗାଇଦେଲେ ନିଆଁ

ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ରାଜ୍ୟର ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଛି। ଏହା ବ୍ୟତୀତ ଅନେକ ରାଉଣ୍ଡ୍‌ ଗୁଳି ମଧ୍ୟ ଚଳାଯାଇଛି। ପୋଲିସ କହିଛି ଯେ ବୁଧବାର ରାତି ପ୍ରାୟ ୯ଟା ବେଳେ ପଟସୋଇ ଥାନା ନ୍ୟୁ କିଥେଲ୍‌ମନବି ଅଞ୍ଚଳରେ ଏହି ଘଟଣା ଘଟିଛି।

ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ପୋଲିସ ଅଗ୍ନିଶମ ବାହିନୀ ସହ ମିଶି ନିଆଁକୁ କାବୁ କରି ନେଇଛି।

ରିପୋର୍ଟ ମୁତାବକ, ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା, କିନ୍ତୁ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ପୋଲିସ କହିଛି ଯେ ଘଟଣାକୁ ନେଇ ଏକାଠି ହୋଇଥିବା ମେତେଇ ସମ୍ପ୍ରଦାୟର ମହିଳାମାନଙ୍କୁ ସୁରକ୍ଷା ବାହିନୀ ଅଟକାଇଥିଲେ। ଏହା ବ୍ୟତୀତ ଅଞ୍ଚଳରେ ସ୍ଥିତି ସମ୍ଭାଳିବା ପାଇଁ ଅତିିରିକ୍ତ ସୁରକ୍ଷା ବାହିନୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

କହି ରଖୁଛୁ, ମଣିପୁରରେ ମେ’ରୁ ହିଂସା ଜାରି ରହିଛି। ଏହି ହିଂସା ଘଟଣାରେ ଏ ପର୍ଯ୍ୟନ୍ତ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଶତାଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ଏହାଛଡ଼ା ଅନେକ ଲୋକଙ୍କୁ ବିସ୍ଥାପିତ ହେବାକୁ ମଧ୍ୟ ପଡ଼ିଛି। ରାଜ୍ୟରେ ହିଂସା ବେଳେ ଅନେକ ଲୋକଙ୍କ ଘର ଜାଳି ଦିଆଯାଇଛି।

ଅଧିକ ଜନସଂଖ୍ୟା ବିଶିଷ୍ଟ ମେତେଇ ସମ୍ପ୍ରଦାୟ ଅନୁସୂଚିତ ଜନଜାତିର ମାନ୍ୟତା ଦାବିରେ ପାହାଡ଼ି ଜିଲ୍ଲାରେ ଆଦିବାସୀ ଏକତା ଶୋଭାଯାତ୍ରା ଆୟୋଜନ କରିବା ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ମଣିପୁରରେ ମୋଟ ଜନସଂଖ୍ୟାରୁ ମେତେଇ ସମ୍ପ୍ରଦାୟଙ୍କ ସଂଖ୍ୟା ରହିଛି ପାଖାପାଖି ୫୩ ପ୍ରତିଶତ, ଯେଉଁମାନେ ଅଧିକାଂଶ ଇମ୍ଫାଲ୍‌ ଘାଟିରେ ରୁହନ୍ତି। ଆଦିବାସୀ ନଗା ଓ କୁକି ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ୪୦ ପ୍ରତିଶତ ଥିବା ବେଳେ ଏମାନେ ପାହାଡ଼ି ଜିଲ୍ଲାରେ ବସବାସ କରନ୍ତି।

Related Articles

Back to top button