ରାଜ୍ୟର ସମସ୍ତ ଟ୍ରେଜେରୀରେ ‘ଇ-ଭାଉଚର’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟ ସରକାରଙ୍କ ବଜେଟର ଆକାର ବୃଦ୍ଧି ପାଇବା ସହିତ ଫାଇନାନ୍ସିଆଲ ଟ୍ରାଞ୍ଜାକସନ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ସମୟର ଅପଚୟକୁ ରୋକିବା ଓ କାରବାର କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ରାଜ୍ୟର ସମସ୍ତ ଟ୍ରେଜେରୀମାନଙ୍କରେ ‘ଇ-ଭାଉଚର’ କାର୍ଯ୍ୟକାରୀ କରାଯିବ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ମୁତାବକ, ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ସାରା ରାଜ୍ୟରେ ‘ଇ-ଭାଉଚର’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ କରାଯିବ । ଜନସାଧାରଣଙ୍କର ଦରମା, ଭତ୍ତା, ପେନସନ, ସରକାରୀ ଟ୍ରାଞ୍ଜାକସନ ଆଦି ବିଭିନ୍ନ ପ୍ରକାରର ଆର୍ଥିକ କାରବାର ପାଇଁ କାଗଜପତ୍ର ବ୍ୟବସ୍ଥା ଉଠିଯିବ । ତା’ ବଦଳରେ ଅନଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ‘୫ଟି’ ଉପକ୍ରମ ଅଧିନରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୧୬୯ଟି ଟ୍ରେଜେରୀକୁ ଅନଲାଇନରେ ଯୋଡ଼ିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନିଷ୍ପତ୍ତି ନେଇଥିଲା ।

ଏହା ମଧ୍ୟରେ ଏହି କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ବେଳେ ମହାଲେଖାକାରଙ୍କ ଅଫିସରକୁ ମଧ୍ୟ ଅନଲାଇନ୍ ବ୍ୟବସ୍ଥା ସହିତ ଯୋଡ଼ାଯାଇଛି । ଏପ୍ରିଲ ୧ ତାରିଖରୁ ରାଜ୍ୟରେ ‘ଇ-ଭାଉଚର’ ବ୍ୟବସ୍ଥା ବାଧ୍ୟତାମୂଳକ ହେବ । ଭାଉଚର ସହିତ ଅନ୍ୟ କାଗଜପତ୍ର ମଧ୍ୟ ଅନଲାଇନରେ ଦାଖଲ କରାଯିବ । ଉଠାଣ ଓ ବିତରଣ ଅଧିକାରୀ (ଡିଡିଓ)ମାନେ ଏହି କାଗଜପତ୍ରକୁ ସଂରକ୍ଷିତ କରି ରଖିବେ । ଆର୍ଥିକ କାରବାର କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ସହ ସମୟ ଅପଚୟକୁ ରୋକିବା ଏହି ବ୍ୟବସ୍ଥା ଲାଗୁ କରିବାର ପଛର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି । ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ସରକାରୀ ଅଫିସରେ କାଗଜପତ୍ର ନଷ୍ଟ ହେବା, ହଜିଯିବା ଆଦି ସମସ୍ୟାରୁ ମୁକ୍ତି ମିଳିବ ।

Related Articles

Back to top button